
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ ଆନ୍ତର୍ଜାତୀୟ ଜିଲ୍ଲା ୩୨୬୨ ର ଜିଲ୍ଲା ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ଶନିବାର ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ ରୋଟାରୀ କ୍ଲବକୁ ଆନୁଷ୍ଠାନିକ ଭାବେ ପରିଦର୍ଶନ କରି ଆୟୋଜିତ ଭବ୍ୟ-ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଛନ୍ତି । କ୍ଲବର ସଭାପତି ରୋଟାରୀୟାନ୍ ଡ଼ଃ.ବିମଲ ପ୍ରସାଦ ସାହୁ ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ରଙ୍କୁ କ୍ଲବର ସଭାପତି ରୋଟାରୀୟାନ ଡ଼ଃ.ବିମଲ ପ୍ରସାଦ ସାହୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସ୍ୱରୂପ ସମ୍ୱର୍ଦ୍ଧିତ କରିଥିଲେ । ପରେ ଆନୁଷ୍ଠାନିକ କାଗଜପତ୍ର ଯାଞ୍ଚ ସମାପ୍ତ ହେବା ପରିବର୍ତ୍ତେ ଛତ୍ରପୁର ରୋଟାରୀ କ୍ଲବର ସଭାପତି ଡ଼ଃ.ସାହୁ ଏବଂ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିିପାଠୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରୀତ ହୋଇଥିଲା । ବୁଝାମଣାପତ୍ର ଅନୁଯାୟୀ, ରୋଟାରାକ୍ଟ କ୍ଲବର ସଦସ୍ୟ ଭାବରେ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରି ଏକ ରୋଟାରାକ୍ଟ କ୍ଲବ ଗଠନ କରାଯିବ, ଏହା ଛାତ୍ରମାନଙ୍କୁ ପ୍ରାୟୋଜକ ରୋଟାରୀ କ୍ଲବକୁ ସହାୟତା ଦେବା ସହିତ ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ସେବା ଯୋଗାଇ ଦେବ ବୋଲି ପ୍ରସ୍ତାବ ଆଗତ କରାଯାଇଥିଲା । ରୋଟାରୀ ଗଭର୍ଣ୍ଣର ଶ୍ରୀ ମହାପାତ୍ର ଏହାପରେ ଛତ୍ରପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ “ଇ-ଶିକ୍ଷା ପ୍ରବର୍ତ୍ତିତ ଇ-କଣ୍ଟେଣ୍ଟ” କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଇ-କଣ୍ଟେଣ୍ଟଟି ଅଗ୍ରଣୀ ଶିକ୍ଷା ସଂଗଠନ ଓ.କେ.ସି.ଏଲ୍. ଦ୍ୱାରା ପ୍ରସ୍ତୁତ ହୋଇଥିଲା । ରୋଟାରୀ କ୍ଲବ ଅଫ୍ ଛତ୍ରପୁର ସୌଜନ୍ୟରେ ଏହା ଆୟୋଜିତ ହୋଇଥିଲା । ପ୍ରକାଶ ଥାଉକି, ଡିଜିଟାଲ ଯୁଗରେ, ଇ-କଣ୍ଟେଣ୍ଟ ଶିକ୍ଷା ଛାତ୍ରଛାତ୍ରୀମାନଙ୍କ ପାଇଁ ପାଠାଗାର ଭାବରେ ବେଶ୍ ଜ୍ଞାନର ଏକ ବିଶାଳ ଉତ୍ସ ଭାବରେ କାର୍ଯ୍ୟ କରିବ ବୋଲି କୁହାଯାଇଛି । ପ୍ରାଥମିକ ଚିକିତ୍ସା ସୁରକ୍ଷା ପାଇଁ ଏକ ପଦକ୍ଷେପ ସ୍ୱରୂପ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ପବ୍ଲିକ୍ ସ୍କୁଲ ଛତ୍ରପୁରକୁ ପ୍ରାଥମିକ ଚିକିତ୍ସା କିଟ୍ ବାକ୍ସ ରୋଟାରୀ ଗଭର୍ଣ୍ଣର ଶ୍ରୀ ମହାପାତ୍ରଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ସ୍କୁଲର ଛାତ୍ରୀମାନଙ୍କୁ ଉତ୍ସାହଜନକ ଭାଷଣ ଦେଇ ଅଧିକ ପୁସ୍ତକ ପଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ନ କରିବା ଉପରେ ରୋଟାରୀ ଗଭର୍ଣ୍ଣର ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ସଚିବ ଅନୀଲ ଶାହା, ସହକାରୀ ଗଭର୍ଣ୍ଣର୍ ଭି. ଅଜୟ ରାଜୁ, କ୍ଲବ ସଚିବ ଦ୍ୱାରକା ପଟ୍ଟନାୟକ, ବରିଷ୍ଠ ରୋଟାରିୟାନ୍ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୁରଜିତ୍ ସାମନ୍ତ ରାୟ, ପୂର୍ବତନ ରୋଟାରୀ ସଭପତି ନିରଞ୍ଜନ ପାତ୍ର, ଏମ୍. ଧନଞ୍ଜୟ ରେଡ୍ଡୀ, ଏସ୍. ରେଖା ମହାନ୍ତି, କେ.ବାସୁଦେବ ରାଓ, ଡମ୍ବୁରୁଧର ସାହୁ, ଇ.ନାଗେଶ୍ୱର ରାଓ ପ୍ରମୁଖ ବହୁ ଗଣ୍ୟମାନ୍ୟ ରୋଟାରୀସଦସ୍ୟ , ଅତିଥିଗଣ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।