ଅତିରିକ୍ତ କୃଷି ଶାସନ ସଚିବଙ୍କ ବଲାଙ୍ଗିର ଗସ୍ତ : ମହିଳା ଗ୍ରାମ୍ୟ ବିହନ ଭଣ୍ଡାରର ବିକ୍ରୟ କେନ୍ଦ୍ର ଓ ଫସଲ ପ୍ରଦର୍ଶନ କ୍ଷେତ ପରିଦର୍ଶନ
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ମନ୍ମଥ କୁମାର ପାଣି ଗତ ଡିସେମ୍ବର ୩ ତାରିଖରେ ବଲାଙ୍ଗିର ଜିଲ୍ଲା ଗସ୍ତ ସମୟରେ ଆନ୍ତର୍ଜାତୀୟ ଶୁଷ୍କାଂଚଳ କୃଷି ଗବେଷଣା ସଂସ୍ଥା (ଆଇକାର୍ଡ) ଦ୍ୱାରା ଓଡ଼ିଶା ଡାଲି ଉନ୍ନୟନ ପ୍ରକଳ୍ପ (ଓପିଡ଼ିପି)ରେ ଚାଷ କରାଯାଇଥିବା ବିଭିନ୍ନ ଡାଲି ଫସଲର ପ୍ରଦର୍ଶନ କ୍ଷେତ ବୁଲି ଦେଖିଥିଲେ । ବଲାଙ୍ଗିର ବ୍ଲକ୍ର ଭୁଣ୍ଡିମୁହାଣ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରଗାଡ଼ପାଲି ଗ୍ରାମରେ ମା’ ଭବାନୀ ଗ୍ରାମ୍ୟ ବିହନ ଭଣ୍ଡାର ଦ୍ୱାରା ପରିଚାଳିତ ମଡେ଼ଲ ଡାଲି ବିହନ ବିକ୍ରୟ କେନ୍ଦ୍ର ପରିଦର୍ଶନ କରି ସେ ମହିଳା ସଭ୍ୟାମାନଙ୍କ ସହ ସେମାନଙ୍କ ବ୍ୟବସାୟିକ ପରିଚାଳନା ଓ ସଫଳତା ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ପାଣି ପାଟଣାଗଡ଼ ଆତ୍ମା ତାଲିମ ଗୃହରେ ଆୟୋଜିତ ଏକ ‘କୃଷକ କ୍ଷେତ୍ର ଦିବସ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୃଷି ଓ ମୃତ୍ତିକା ସଂରକ୍ଷଣ ବିଭାଗର ସହଯୋଗରେ ଓ ଆଇକାଡର଼୍ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ କାର୍ଯ୍ୟକ୍ରମର ହିତାଧିକାରୀ ଚାଷୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଆଇକାଡର଼୍ର ମୁଖ୍ୟ ବୈଜ୍ଞାନିକ ତଥା ଡାଲି ଜାତୀୟ ଶସ୍ୟ ଗବେଷଣା ସଂସ୍ଥାର ପରିଚାଳକ ଡ. ନିଗମାନନ୍ଦ ସ୍ୱାଇଁ, ବଲାଙ୍ଗିର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଶୋକ କୁମାର ମହାନ୍ତି, ଜଳଛାୟା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର, ବୈଜ୍ଞାନିକ ଡ. ସରୋଜ ସ୍ୱାଇଁ, ଡ. ନାଗେଶ ବାରିକ, ବିହନ ପ୍ରମାଣନ ଅଧିକାରୀ ବିବେକାନନ୍ଦ ଶତପଥୀ ତଥା ପାଟଣାଗଡ଼ ପଂଚାୟତ ସମିତି ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ଅତିଥି ତଥା ବକ୍ତା ଭାବରେ ଯୋଗ ଦେଇଥିଲେ । ଗସ୍ତ ସମୟରେ ଶ୍ରୀ ପାଣି ଗ୍ରାମରେ ଥିବା କଣ୍ଟାବିହୀନ ନାଗଫେଣୀ ନର୍ସରୀ ପରିଦର୍ଶନ କରିବା ସହିତ କଅଁଳିଆ ନାଗଫେଣୀକୁ କାଟି ଗୋଖାଦ୍ୟ ରୂପେ ବ୍ୟବହାର ହେଉଥିବା ଓ ଗାଈମାନେ ତାକୁ ଆଗ୍ରହର ସହ ଖାଉଥିବା ଦେଖିଥିଲେ ।
ଚଳିତ ଖରିଫ୍ ଋତୁରେ କୃଷି ନିର୍ଦ୍ଦେଶାଳୟର ସହାୟତାରେ ଆଇକାଡର଼୍ ଦ୍ୱାରା ଚାଷ କରାଯାଇଥିବା ହରଡ଼ ମିନି କିଟ୍ ପ୍ରଦର୍ଶନ କ୍ଷେତ ପରିଦର୍ଶନ କରି ଶ୍ରୀ ପାଣି ସନ୍ତୋଷ ପ୍ରକାଶ କରିଥିଲେ । ବିଗତ ଦୁଇ ବର୍ଷ ମଧ୍ୟରେ ଆଇକାଡ଼ ଦ୍ୱାରା ଜିଲ୍ଲାର ୩୬ଟି ଗ୍ରାମରେ ୯ ଗୋଟି ଗ୍ରାମ୍ୟ ବିହନ ଭଣ୍ଡାର ଗଠନ କରାଯାଇଛି ଓ ଭବିଷ୍ୟତରେ ସମସ୍ତ ବିହନ ଭଣ୍ଡାର ମାଧ୍ରମରେ ଚାଷୀମାନଙ୍କ କ୍ଷେତ୍ରରେ ଉକ୍ରୃଷ୍ଟ ମାନର ଡାଲି ଫସଲର ବିହନ ଉତ୍ପାଦନ କରାଯାଇ ଜିଲ୍ଲା ତଥା ନକଟବର୍ତ୍ତୀ ଜିଲ୍ଲାର ଚାଷୀମାନଙ୍କୁ ଠିକ୍ ସମୟରେ ସୁଲଭ ମୂଲ୍ୟରେ ଉନ୍ନତ ମାନର ବିହନ ଯୋଗାଇ ଦିଆଯାଇ ଡାଲି ଫସଲ ବିହନ ସଂକଟକୁ ଦୂର କରାଯାଇ ପାରିବ ବୋଲି ଅଧିକାରୀ ଓ ଚାଷୀମାନଙ୍କ ସହ ଆଲୋଚନାରୁ ଶ୍ରୀ ପାଣି ହୃଦୟଙ୍ଗମ କରିଥିଲେ ।