ଖଣ୍ଡଦେଉଳି ମେଡ଼ିକାଲକୁ ପରିଦର୍ଶନ କରିଲେ ସିଡିଏମଓ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସି ରୋଗୀଙ୍କ ସମସ୍ୟା ପଚାରି ବୁଝିଛନ୍ତି ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ସୁଶାନ୍ତ ନାୟକ । ପରିଦର୍ଶନ ବେଳେ ସାଙ୍ଗରେ ଥିଲେ ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ ବୁଲୁନାଥ ସାହୁ ଏବଂ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡ଼ା. ସ୍ୟୋମ୍ୟକାନ୍ତ ମହାପାତ୍ର । ଶ୍ରୀ ନାୟକ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସନ୍ଧ୍ୟା ୫ଟା ସମୟରେ ଅଚାନକ ପହଞ୍ଚି ଗର୍ଭବତୀ ମହିଳା ଓ ଅନ୍ତଃ ବିଭାଗ ରୋଗୀଙ୍କ ସହ ମେଡ଼ିକାଲର ସୁବିଧା ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ । ତାପରେ ମେଡ଼ିକାଲ ପରିସରରେ ଥିବା ଗ୍ରୀନ ପାର୍କ ଦେଖି ଖୁସିବ୍ୟକ୍ତ କରିବା ସହ, ଅନ୍ତଃ ବିଭାଗ ଓ ବହିଃ ବିଭାଗ ନୂତନ କୋଠା ନିର୍ମାଣ ହେବା ସତ୍ତ୍ୱେ କାହିଁକି ମେଡ଼ିକାଲକୁ ହସ୍ତାନ୍ତର କରାଯାଇନି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଆଶା ଦିଦିଙ୍କ ସହ ଆଲୋଚନା କରିଲା ବେଳେ ଜାଣିବାକୁ ପାଇଥିଲେ ଏଠାରେ ଆଶା ଦିଦିଙ୍କ ନିମନ୍ତେ ବିଶ୍ରାମ ଗୃହ ନାହିଁ । ତେଣୁ ଯଥା ଶୀଘ୍ର ସମ୍ପୁକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ତାହାର ସମାଧାନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏବଂ ସେମାନଙ୍କ ସହ କ୍ୱାଟର ବୁଲି ଦେଖିଥିଲେ । କିନ୍ତୁ ଗୃହ ଗୁଡ଼ିକ ବିପଦ ସଙ୍କୁଳ ବା ଭଗ୍ନ ଅବସ୍ଥାରେ ରହିଥିବା ଜାଣିବାକୁ ପାଇଥିଲେ । ତେଣୁ ତୁରନ୍ତ କୌଣସି ପାଣ୍ଠିରୁ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ସୁଶାନ୍ତ ନାୟକ । ଆଜି ଖଣ୍ଡଦେଉଳି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ୫ ଟି ଗର୍ଭବତୀ ମହିଳା ପ୍ରସବ କରିଥିଲେ । ଶ୍ରୀ ନାୟକ ସେହି ମହିଳାଙ୍କ ସହ କଥାବାର୍ତ୍ତା କରିଥିଲେ ।

jittmm
Leave A Reply

Your email address will not be published.