ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଋଷିକୂଲ୍ୟା ନଦୀଠାରୁ ମିଳିଥିବା ମୃତ ଦେହର ପରିଚୟ ପାଇଛି ଗଞ୍ଜାମ ଥାନା ପୋଲିସ । ଗଞ୍ଜାମ ଥାନା ଅନ୍ତର୍ଗତ ପୋତାଗଡ ନିକଟ ଋଷିକୂଲ୍ୟା ନଦୀ ମଧ୍ୟ ଭାଗରେ ଥିବା ପଙ୍କାଳ ପାର୍ଶ୍ଵରେ ଅଜଣା ଯୁବକଙ୍କ ମୃତ ଶରୀର ପଡିଥିବା ଦେଖି ସ୍ଥାନୀୟ ଲୋକେ ଗଞ୍ଜାମ ଥାନା ପୋଲିସକୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର ଏବଂ ସାଙ୍ଗରେ ଅଗ୍ନିଶମ ବିଭାଗ କର୍ମଚାରୀ, ସାଇଣ୍ଟିଫିକ୍ ଟିମକୁ ନେଇ ତଦନ୍ତ ଆରମ୍ଭ କରିଥିଲେ । ପୋଲିସ କେସ ନଂ ୧୪ /୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲେ ଗଳିତ ଶବଟି ପଚିଯାଇଥିଲା ଏବଂ ମୃତକ ପିନ୍ଧିଥିବା ପ୍ୟାଣ୍ଟ୍ ପକେଟରୁ ଆଧାର କାର୍ଡ, ଭୋଟର କାର୍ଡ ଓ ବ୍ୟାଙ୍କ ଏଟିଏମ୍ ମିଳିଥିଲା । ଫଳରେ ପୋଲିସ ଶବକୁ ନଦୀ ମଧ୍ୟଭାଗରୁ ଡଙ୍ଗା ସାହାଯ୍ୟରେ ସ୍ଥଳ ଭାଗକୁ ଆଣି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍କେସିଜିକୁ ପୋଷ୍ଟମାର୍ଟମ ନିମନ୍ତେ ପଠାଯାଇଛି । ମୃତକଙ୍କ ନିକଟରୁ ମିଳିଥିବା ସମସ୍ତ ପରିଚୟ ପତ୍ରକୁ ନେଇ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା । ପଶ୍ଚିମବଙ୍ଗର ଜଲପାଇଗୁରି ଥାନା ସାହାଯ୍ୟରେ ମୃତକ ହଞ୍ଜଲ ଫ୍ରିଦୋଷ ପିତା ଇକୱାର ଅଲ୍ଲୀ ଙ୍କ ପରିବାର ସହ ଯୋଗାଯୋଗ କରି ସମ୍ପୂର୍ଣ୍ଣ ତଥ୍ୟ ପାଇଥିଲା । ସୂଚନା ଅନୁସାରେ ମୃତକ ହଞ୍ଜଳା ଫିରଦୋଷ ବିବେକ ଏକ୍ସପ୍ରେସରେ କେରଳର କୋଚିରୁ ପଶ୍ଚିମବଙ୍ଗ ଆସୁଥିଲାବେଳେ ୧୩ ତାରିଖରେ ଫୋନ୍ ସୁଇଚ୍ଚଅଫ୍ ଆସିବାରୁ ପରିବାର ଲୋକେ ସ୍ଥାନୀୟ ଜଲପାଇଗୁରି ଜିଆରପି ଥାନାରେ ନିଖୋଜ ନେଇ ଅଭିଯୋଗ ଦେଇଥିଲେ । ଆଜି ମଧ୍ୟାହ୍ନରେ ଗଞ୍ଜାମ ପୋଲିସଠାରୁ ପରିବାର ସନ୍ଧାନ ପାଇଲା ପରେ ଗଞ୍ଜାମ ଥାନାକୁ ପୁଅର ମୃତ ଶରୀରକୁ ଚିହ୍ନଟ କରିବା ପାଇଁ ଆସୁଥିବା ଆଇଆଇସି ସୂଚନା ଦେଇଛନ୍ତି ।
Prev Post