ଦେଶର କେତେକ ସ୍ଥାନରେ ବୃଦ୍ଧି ପାଉଥିବା କୋଭିଡ୍ – ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ – ୧୯ ସ୍ଥିତି ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

  • କୋଭିଡ୍ – ୧୯ ଭୂତାଣୁର ନୂଆ ସୃଷ୍ଟି ହୋଇଥିବା ଷ୍ଟ୍ରେନ୍ ବିରୋଧରେ ସତର୍କ ଓ ପ୍ରସ୍ତୁତ ରହିବା
    ଜରୁରୀ : ଡ. ମାଣ୍ଡଭିୟ
  • କୋଭିଡ୍ – ୧୯ର ଦକ୍ଷ ପରିଚାଳନା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମିଳିତ
    ଉଦ୍ୟମର ଆବଶ୍ୟକତା ସମ୍ପର୍କରେ ଦୋହରାଇଲେ
  • ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରତି ତିନି ମାସରେ ଥରେ ମକ୍ ଡ୍ରିଲ୍ କରିବା ଏବଂ ସର୍ବୋତ୍ତମ
    ଅଭ୍ୟାସ ବାଣ୍ଟିବାକୁ ପରାମର୍ଶ
  • ଉପଯୁକ୍ତ ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟା ଯୋଜନା କରିବା ପାଇଁ ରାଜ୍ୟ ଗୁଡ଼ିକ କୋଭିଡ୍ – ୧୯ ମାମଲା,
  • ଲକ୍ଷଣ ଏବଂ ମାମଲାର ଗମ୍ଭୀରତା ବିଷୟରେ ସୃଷ୍ଟି ହେଉଥିବା ପ୍ରମାଣ ଉପରେ ନଜର ରଖିବେ
  • ନୂତନ ଭାରିଆଣ୍ଟର ଟ୍ରାକିଂ ସୁବିଧା ପାଇଁ ସମସ୍ତ କୋଭିଡ୍ – ୧୯ ପଜିଟିଭ୍ ମାମଲାର ନମୁନା
  • ଆଇଏନ୍ଏସ୍ଏସିଓଜି ପରୀକ୍ଷାଗାରକୁ ପଠାଇବାକୁ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ପରାମର୍ଶ
    ଦିଆଯାଇଛି
  • ସଚେତନତା ସୃଷ୍ଟି କରିବା, ଇନଫୋଡେମିକ୍ ପରିଚାଳନା ଏବଂ ତଥ୍ୟଗତ ସଠିକ୍ ସୂଚନା ପ୍ରସାରଣ
    ସୁନିଶ୍ଚିତ କରିବାକୁ ରାଜ୍ୟ ଗୁଡ଼ିକୁ ଅନୁରୋଧ

ନୂଆଦିଲ୍ଲୀ, (ପିଆଇବି) : ନିକଟରେ କେତେକ ରାଜ୍ୟରେ କୋଭିଡ୍ – ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତରେ କୋଭିଡ୍ – ୧୯ ସ୍ଥିତି ଏବଂ କୋଭିଡ୍ – ୧୯ ର ତଦାରଖ, ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଅଧ୍ୟକ୍ଷତା କରିଛନ୍ତି । ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂହ ବାଘେଲ ଏବଂ ଡାକ୍ତର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭି. କେ. ପଲ୍ ମଧ୍ୟ ଉପସ୍ଥିତ ଥିଲେ ।
ଏହି ବୈଠକରେ ଯୋଗ ଦେଇଥିବା ରାଜ୍ୟର ମନ୍ତ୍ରୀ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଆରୁଣାଚଳ ପ୍ରଦେଶ) ଶ୍ରୀ ଆଲୋ ଲିବାଙ୍ଗ; ଶ୍ରୀ ବ୍ରଜେଶ ପାଠକ, ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତର ପ୍ରଦେଶ); ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତରାଖଣ୍ଡ) ଶ୍ରୀ ଧନ ସିଂହ ରାୱତ ଶାରୀରିକ ଭାବେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଦିନେଶ ଗୁଣ୍ଡୁ ରାଓ, ସ୍ୱାସ୍ଥ୍ୟ ମନ୍ତ୍ରୀ (କର୍ଣ୍ଣାଟକ); ଶ୍ରୀ ଅନୀଲ ଭିଜ୍, ସ୍ୱାସ୍ଥ୍ୟ ମନ୍ତ୍ରୀ (ହରିୟାଣା); ଶ୍ରୀମତୀ ବୀଣା ଜର୍ଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (କେରଳ), ଶ୍ରୀ ବିଶ୍ୱଜିତ ପ୍ରତାପ ସିଂହ ରାଣେ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଗୋଆ); କେଶବ ମହାନ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ (ଆସାମ), ଶ୍ରୀ ବନ୍ନା ଗୁପ୍ତା, ସ୍ୱାସ୍ଥ୍ୟ ମନ୍ତ୍ରୀ (ଝାଡ଼ଖଣ୍ଡ); ବଲବୀର ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ପଞ୍ଜାବ); ଶ୍ରୀ ସୌରଭ ଭରଦ୍ୱାଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଦିଲ୍ଲୀ); ଡଃ (କର୍ଣ୍ଣେଲ) ଧନୀ ରାମ ଶାଣ୍ଡିଲ, ସ୍ୱାସ୍ଥ୍ୟ ମନ୍ତ୍ରୀ (ହିମାଚଳ ପ୍ରଦେଶ); ତାନାଜୀରାଓ ସାୱନ୍ତ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମହାରାଷ୍ଟ୍ର); ଶ୍ରୀ ଦାମୋଦର ରାଜ ନରସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ତେଲଙ୍ଗାନା); ଡାକ୍ତର ସପମ ରଞ୍ଜନ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମଣିପୁର); ନିରଞ୍ଜନ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଓଡ଼ିଶା); ଶ୍ରୀ ରଙ୍ଗାସ୍ୱାମୀ, ପ୍ରଶାସକ (ପୁଡୁଚେରୀ); ଉପସ୍ଥିତ ଥିଲେ ।
ଚୀନ୍, ବ୍ରାଜିଲ, ଜର୍ମାନୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିଶ୍ୱର କେତେକ ଦେଶରେ କୋଭିଡ୍ – ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୃଷ୍ଟି ହୋଇଥିବା ଆହ୍ୱାନ ଉପରେ ଆଲୋକପାତ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କୋଭିଡ୍ – ୧୯ର ନୂତନ ଏବଂ ସୃଷ୍ଟି ହେଉଥିବା ଷ୍ଟ୍ରେନ୍ର ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ରହିବା ଏବଂ ସତର୍କ ରହିବାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । କୋଭିଡ୍ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ ବୋଲି ଦର୍ଶାଇ ସେ ରାଜ୍ୟ ଗୁଡ଼ିକୁ ଉପଯୁକ୍ତ ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟା ଯୋଜନା କରିବା ପାଇଁ ନୂଆ କରି ସାମନାକୁ ଆସୁଥିବା କୋଭିଡ୍ – ୧୯ ମାମଲା, ଏ ସମ୍ପର୍କିତ ଲକ୍ଷଣ ଏବଂ ଗମ୍ଭୀରତା ଉପରେ ନଜର ରଖିବାକୁ ଅନୁରୋଧ କରିଥିଲେ ।
ଡ. ମାଣ୍ଡଭିୟ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଦେଶରେ ପ୍ରସାରିତ ହେଉଥିବା ନୂଆ ଭାରିଏଣ୍ଟକୁ ଠିକ୍ ସମୟରେ ଚିହ୍ନଟ କରିବା ପାଇଁ ଭାରତୀୟ ସାର୍ସ – କୋଭ୍ – ୨ ଜିନୋମିକ୍ସ କନସୋର୍ଟିୟମ୍ (ଆଇଏନ୍ଏସ୍ଏସିଓଜି) ନେଟୱାର୍କ ଜରିଆରେ ପଜିଟିଭ୍ କେସ୍ ନମୁନାର ସମ୍ପୂର୍ଣ୍ଣ ଜିନୋମ୍ ସିକ୍ୱେନ୍ସିଂ ପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଉପଯୁକ୍ତ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍ ସମୟରେ କାର୍ଯ୍ୟକାରୀ ହୋଇ ପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି । କୋଭିଡ୍ – ୧୯ ପଜିଟିଭ୍ ଓ ନିମୋନିଆ ଭଳି ରୋଗର ବହୁ ସଂଖ୍ୟକ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଏବଂ ଦୈନିକ ଅଧିକ ସଂଖ୍ୟକ କୋଭିଡ୍ – ୧୯ ପଜିଟିଭ୍ ମାମଲା ଏବଂ ନିମୋନିଆ ଭଳି ରୋଗର ନମୁନାକୁ ଆଇଏନ୍ଏସ୍ଏସିଓଜି ଜିନୋମ୍ ସିକ୍ୱେନ୍ସିଂ ଲାବୋରେଟୋରି (ଆଇଜିଏସ୍ଏଲ୍) କୁ ପଠାଇବା ପାଇଁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଅନୁରୋଧ କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟକୁ ସତର୍କ ରହିବା, ତଦାରଖ ବ୍ୟବସ୍ଥାକୁ ବୃଦ୍ଧି କରିବା ଏବଂ ପର୍ଯ୍ୟାପ୍ତ ପରିମାଣର ଔଷଧ, ଅକ୍ସିଜେନ ସିଲିଣ୍ଡର ଏବଂ କନ୍ସେଣ୍ଟ୍ରେଟର, ଭେଣ୍ଟିଲେଟର ଏବଂ ଟିକା ମହଜୁଦ ରଖିବାକୁ ଅନୁରୋଧ କରିଥିଲେ । ଏହା ସହ ପିଏସ୍ଏ ପ୍ଲାଣ୍ଟ, ଅକ୍ସିଜେନ କନସେଣ୍ଟ୍ରେଟର ଏବଂ ସିଲିଣ୍ଡର, ଭେଣ୍ଟିଲେଟର ଇତ୍ୟାଦିର କାର୍ଯ୍ୟକାରିତା ଆକଳନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ପ୍ରତି ତିନି ମାସରେ ମକ୍ ଡ୍ରିଲ୍ କରିବାକୁ ଅଧିକାରୀ ମାନଙ୍କୁ କହିଥିଲେ ଏବଂ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବାକୁ ପ୍ରୋତ୍ସାହିତ କରିଥିଲେ । ଶ୍ୱାସକ୍ରିୟା ପରିଚ୍ଛନ୍ନତା ଉପରେ ସଚେତନତା ସୃଷ୍ଟି କରିବା ଏବଂ ତଥ୍ୟଗତ ସଠିକ୍ ସୂଚନା ପ୍ରସାରଣ ସୁନିଶ୍ଚିତ କରିବା ଏବଂ ମିଥ୍ୟା ଖବରର ମୁକାବିଲା କରିବା ପାଇଁ ସେ ରାଜ୍ୟ ମାନଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ କୋଭିଡ୍ ପୋର୍ଟାଲରେ ବାସ୍ତବ ସମୟରେ ମାମଲା, ପରୀକ୍ଷା, ପଜିଟିଭିଟି ଇତ୍ୟାଦି ବିଷୟରେ ସୂଚନା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ରାଜ୍ୟ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଏକ ଉପସ୍ଥାପନା ମାଧ୍ୟମରେ , କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଶ୍ରୀ ସୁଧାଂଶ ପନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବିଶ୍ୱ କୋଭିଡ୍ ୧୯ର ସ୍ଥିତି ଏବଂ ଘରୋଇ ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ । ବିଶ୍ୱ ସ୍ଥିତି ତୁଳନାରେ ଭାରତରେ ସକ୍ରିୟ କୋଭିଡ୍ ମାମଲା ଯଥେଷ୍ଟ କମ୍ ଥିବା ବେଳେ ଗତ ଦୁଇ ସପ୍ତାହ ମଧ୍ୟରେ ସକ୍ରିୟ ମାମଲା ୬ ଡିସେମ୍ବର ୨୦୨୩ ରେ ୧୧୫ ଥିବା ବେଳେ ଆଜି ସୁଦ୍ଧା ୬୧୪କୁ ବୃଦ୍ଧି ପାଇଛି । ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ୯୨.୮% ମାମଲା ହୋମ୍ ଆଇସୋଲେସନରେ ରହିଛି, ଯାହା ସାମାନ୍ୟ ଅସୁସ୍ଥତାକୁ ସୂଚାଉଛି । କୋଭିଡ୍ – ୧୯ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବା ହାରରେ କୌଣସି ବୃଦ୍ଧି ପରିଲକ୍ଷିତ ହୋଇ ନାହିଁ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ମାମଲା ଗୁଡିକ ଅନ୍ୟାନ୍ୟ କାରଣରୁ ହୋଇଥାଏ – କୋଭିଡ୍ -୧୯ ଏକ ଆନୁଷଙ୍ଗିକ ଅନୁସନ୍ଧାନ । କେରଳ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ କର୍ଣ୍ଣାଟକ ଭଳି କିଛି ରାଜ୍ୟରେ ଦୈନିକ କୋଭିଡ୍ – ୧୯ ପଜିଟିଭିଟି ହାର ବୃଦ୍ଧି ପାଇଛି ।
ସାର୍ସ – କୋଭ୍ – ୨ର ନୂଆ ଜେଏନ୍. ୧ ଭାରିଆଣ୍ଟ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା ଯେ ଏହି ଭାରିଏଣ୍ଟ ବର୍ତ୍ତମାନ ତୀବ୍ର ବୈଜ୍ଞାନିକ ଯାଞ୍ଚ ରେ ଅଛି, କିନ୍ତୁ ଏହା ତ୍ୱରିତ ଚିନ୍ତାର କାରଣ ନୁହେଁ । ଜେଏନ୍. ୧ କାରଣରୁ ଭାରତରେ କୌଣସି କ୍ଲଷ୍ଟରିଂ ମାମଲା ଦେଖିବାକୁ ମିଳିନାହିଁ ଏବଂ ସମସ୍ତ ମାମଲା ସାମାନ୍ୟ ବୋଲି ଜଣାପଡିଛି ଏବଂ ସେମାନେ ସମସ୍ତେ ବିନା କୌଣସି ଜଟିଳତାରେ ସୁସ୍ଥ ହୋଇଛନ୍ତି ।
ଡାକ୍ତର ଭି. କେ. ପଲ୍ କୋଭିଡ୍ ସଂକ୍ରମଣ ବୃଦ୍ଧି ଏବଂ ଏକ ନୂତନ ଭାରିଆଣ୍ଟର ଆବିର୍ଭାବ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟର ଆବଶ୍ୟକତାକୁ ଦୋହରାଇ ଥିଲେ । ସେ ସୂଚନା ଦେଇଛନ୍ତି ଯେ ଭାରତରେ ବୈଜ୍ଞାନିକ ସମୁଦାୟ ଏହି ନୂତନ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ଅନୁସନ୍ଧାନ କରୁଛନ୍ତି କିନ୍ତୁ ରାଜ୍ୟ ଗୁଡ଼ିକ ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କର ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ତଥା ଆଇସିଏମ୍ଆର୍ର ଡିଜି ଡାକ୍ତର ରାଜୀବ ବହଲ ସୂଚନା ଦେଇଛନ୍ତି ଯେ ଆଇସିଏମ୍ଆର୍ ବର୍ତ୍ତମାନ ନୂତନ ଜେଏନ୍. ୧ ଭାରିଆଣ୍ଟର ଜିନୋମ ସିକ୍ୱେନ୍ସିଂ ଉପରେ କାମ କରୁଛି । କୋଭିଡ୍ – ୧୯ ସ୍ଥିତି ଉପରେ ନଜର ରଖିବା ଏବଂ ଆରଟି – ପିସିଆର ପରୀକ୍ଷା ବଢ଼ାଇବାକୁ ସେ ରାଜ୍ୟ ଗୁଡ଼ିକୁ ଅନୁରୋଧ କରିଥିଲେ ମଧ୍ୟ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀମାନେ କେନ୍ଦ୍ରରୁ ମିଳିଥିବା ସହାୟତା ଏବଂ ମାର୍ଗଦର୍ଶନକୁ ପ୍ରଶଂସା କରିଛନ୍ତି । କେତେକ ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ବଢ଼ାଇବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।
ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀମତୀ ଏଲ୍ ଏସ୍ ଚାଙ୍ଗସାନ୍; ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମଆର ଏବଂ ଏନସିଡିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.