ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ନେଇ ଉତ୍ତର ପ୍ରଦେଶରେ ଏକ ଶୈକ୍ଷିକ ପରିଭ୍ରମଣ ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ପ୍ରମୋଦ କୁମାର ଦାଶ, ଅଧ୍ୟାପକ ବାମଦେବ ମେହେର, ଡକ୍ଟର ସୋମନାଥ ପଧାନ ଓ ଡକ୍ଟର ଲିଙ୍ଗରାଜ ମେହେରଙ୍କ ନେତୃତ୍ୱରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ ବନାରସର କାଶୀ ବିଶ୍ୱନାଥ, ରାମ ଜନ୍ମଭୂମି ଅଯୋଧ୍ୟା, ଆଗ୍ରାର ତାଜମହଲ, କୃଷ୍ଣ ଜନ୍ମଭୂମି ମଥୁରା, ଗୋପ, ବୃନ୍ଦାବନ ଏବଂ ପ୍ରୟାଗରାଜରେ ତ୍ରିବେଣୀ ସଙ୍ଗମ ପ୍ରଭୃତି ସ୍ଥାନ ପରିଭ୍ରମଣ କରିଥିଲେ । ବିଭିନ୍ନ ପୁସ୍ତକରେ ସେହି କ୍ଷେତ୍ର ଗୁଡିକ ସଂପର୍କରେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ତାହା ସ୍ୱଚକ୍ଷୁରେ ଦେଖି ଅଭିଭୂତ ହେବା ସହ ବାସ୍ତବ ଜ୍ଞାନର ପରିସୀମା ବୃଦ୍ଧି କରିଥିଲେ । ଏହି ସମସ୍ତ କ୍ଷେତ୍ରରେ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ଆଗ୍ରା ପୋଲିସ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଯାହାକି ସେଠାକାର ଗଣମାଧ୍ୟମରେ ମଧ୍ୟ ପ୍ରକାଶନ ଓ ପ୍ରସାରଣ ହୋଇଥିଲା । ଦୀର୍ଘ ସାତଦିନ ଧରି ପରିଭ୍ରମଣ କରି ମହାବିଦ୍ୟାଳୟରେ ପହଞ୍ଚିବା ପରେ ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ।