- ଉଦ୍ଘାଟନ କଲେ ନୂତନ ଡିଏଫଓ କାର୍ଯ୍ୟାଳୟ
ରାଉରକେଲା, (ସସ୍ମିତା ପ୍ରଧାନ) : ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଦିନିକିଆ ଗସ୍ତରେ ରାଉରକେଲା ଆସି ନବନିର୍ମିତ ଡିଏଫଓଙ୍କ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସେ ଯୋଗଦେଇ ସମ୍ବୋଦିତ କରି କହିଥିଲେ ଯେ ଗ୍ରାମାଂଚଳର ପ୍ରତ୍ୟେକ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଚିଂବା ସୁନିଶ୍ଚିତ କରିବା ପାଇଁ ସରକାରୀ ବିଭାଗକୁ ମିଳିମିଶି କାମ କରିବା ଉଚିତ୍ । ଗ୍ରାମାଂଳଳରେ ଅନେକ ବ୍ୟକ୍ତିଙ୍କ ପାଖରେ ଶ୍ରମ କାର୍ଡ ନଥିବାରୁ ଶ୍ରମ ବିଭାଗ ଦ୍ୱାରା ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାର ଲାଭ ପାଉ ନାହାନ୍ତି । ଏଥିପାଇଁ ସଚେତନତା ଆବଶ୍ୟକ ସେ ପ୍ରତ୍ୟେକ ବ୍ଲକରେ ଜାଗୃତି କର୍ମଶାଳା କରିବାକୁ କହିଥିଲେ । ଏହି ଅବସରରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ୫୯ ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧିନରେ ୫୯ ଜଣ ନିର୍ମାଣ ଶ୍ରମିକଙ୍କୁ ୬୪ ଲକ୍ଷ ୮୮ ହଜାର ୪୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ୨୫ ଜଣଙ୍କୁ ମୃତ୍ୟୁକାଳୀନ ଓ ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ରାଶି ଦିଆଯାଇଥିବା ବେଳେ ୨୫ ଜଣଙ୍କୁ ବିବାହ ସହାୟତା ରାଶି, ୭ ଜଣ ମହିଳାଙ୍କୁ ପ୍ରସୂତି କାଳୀନ ସହାୟତା, ୨ ଜଣଙ୍କୁ ଶିକ୍ଷାବୃତ୍ତି ସହାୟତା ରାଶି ପ୍ରଦାନ କରାଯାଇଛି । ଏଥିସହ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ୧୦୫ ଓ ଓଡିଶା ଅସଂଠିତ ଶ୍ରମିକ ସାମାଜିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ୨ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ କାର୍ଡ ପ୍ରଦାନ କରାଯାଇଛି । ଏତଦ ବ୍ୟତିତ ଶ୍ରୀ ଖୁଣ୍ଟିଆ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଅବସରରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ, ଅତିରିକ୍ତ ଜିଲ୍ଲାପାଳ ଓ ଆର୍ଏମ୍ସି କମିଶନର ଆଶୁତୋଷ କୁଲକର୍ଣ୍ଣି, ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ଯୁଗ୍ମ ଶ୍ରମ ଆୟୁକ୍ତ ପିଆର୍ ଜେନା, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟ ଜ୍ୟୋତି ନାୟକ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।