ଜୟପାଟଣା, (ଶେଷଦେବ ବେହେରା) : ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ପ୍ରାଥମିକ ଶିକ୍ଷାର ଆବଶ୍ୟକତା ଅପରିହାର୍ଯ୍ୟ ଥିବାବେଳେ କିଛି ଚଞ୍ଚକତା ଓ କିଛି ଆଳ ଦେଖାଇ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିଦେବା ଭଳି ସରକାରଙ୍କ କଠୋର ନିଷ୍ପତ୍ତି ସରକାରଙ୍କ ଆଭିମୁଖ୍ୟକୁ ନେଇ ଏବେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସେହି ନିଷ୍ପତ୍ତିକୁ ଆଧାର କରି ଏବେ ଜୟପାଟଣା ବ୍ଲକ ପରିଧି ମଧ୍ୟରେ ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ଗାଁର ଶିଶୁମାନଙ୍କ ଶିକ୍ଷାର ବିକାଶକୁ ପ୍ରାଥମିକତା ଦେଇ ଗଢି ଉଠିଥିବା ବିଦ୍ୟାଳୟମାନଙ୍କୁ ପୁଣିଥରେ ନିରାଶା ମଧ୍ୟକୁ ଟାଣି ଆଣିବା ଘଟଣା କେତେ ଯୁକ୍ତିଯୁକ୍ତ ତାହା ଏବେ ଅନୁଧ୍ୟାନ ସାପେକ୍ଷ ବୋଲି ମତବ୍ୟକ୍ତ ହେଉଛି । ସର୍ବ ଶିକ୍ଷା ଅଭିଯାନରେ ସରକାର ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଅନେକ ଗ୍ରାମାଞ୍ଚଳରେ ବିଦ୍ୟାଳୟ ଖୋଲିବା ଆରମ୍ଭ କଲେ । ଶିକ୍ଷାର ହାର ବଢିବାରେ ଲାଗିଲା । କିନ୍ତୁ କିଛି ବର୍ଷ ପରେ କୋଡ଼ିଏରୁ କମ ପ୍ରେବେଶିକା ହୋଇଥିବା ବିଦ୍ୟାଳୟମାନଙ୍କୁ ପର୍ଯ୍ୟାୟ କ୍ରମେ ବନ୍ଦ କରିଦିଆଗଲା । ଏଭଳି ଜୟପାଟଣା ବ୍ଲକର ଅନେକ ଦୁର୍ଗମ ଅଞ୍ଚଳ ସହିତ ୨୨ଟି ବିଦ୍ୟାଳୟ ବନ୍ଦ ହୋଇଗଲା । ଫଳ ସ୍ୱରୂପ ତତ୍ ସଂଲଗ୍ନ ଆଦିବାସୀ ଛାତ୍ରଛାତ୍ରୀ ବିଶେଷ ପ୍ରଭାବିତ ହେଲେ । ଏହି ବିଷୟକୁ ଆଧାର କରି ଆମେ ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରିପାଲି ପଞ୍ଚାୟତର କୋଡକିପଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ପହଞ୍ଚି ଥିଲୁ । ୨୦୦୯ମସିହାରେ ଆରମ୍ଭ ହୋଇଥିବା ଏହି ସ୍କୁଲ ସରକାରଙ୍କ ନୀତି ଆଗରେ ବଳି ପଡ଼ି ବନ୍ଦ ଘୋଷିତ ହୋଇଗଲା । ବିଦ୍ୟାଳୟ ପରିସରରେ ତିନି ଜଣ ଯୁବକ ସୌମ୍ୟ ରଞ୍ଜନ ଶବର, ରୁଦ୍ର ଶବର, ଫୁଲ ଚନ୍ଦନ ଶବର ବିଦ୍ୟାଳୟ ବାରଣ୍ଡାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ସେମାନଙ୍କୁ ପଚାରିବାରୁ ଏହି ବିଦ୍ୟାଳୟରେ ପଞ୍ଚମ ପର୍ଯ୍ୟନ୍ତ ଅଧ୍ୟୟନ କରି ଏବେ ଧର୍ମଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ଵାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ପ୍ରକାଶ କରିଥିଲେ । ସେମାନଙ୍କୁ ବିଦ୍ୟାଳୟ ବନ୍ଦ ହେବା ସଂପର୍କରେ ପଚାରିବାରୁ ଦୁଃଖ ପ୍ରକାଶ କରିଥିଲେ । ପରେ ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା ଅର୍ଜୁନ ମାଝୀଙ୍କୁ ଭେଟିବାରୁ ସେ ଦୁଃଖର ସହିତ ପ୍ରକାଶ କରିଥିଲେ ଆମ ପରିବାର ଏକ ମହତ୍ ଉଦ୍ଦେଶ୍ୟ ନେଇ ଜମିଦାନ କରିଥିଲୁ, ପୁଣି ଆଶା ରଖିଛୁ, ପୁନର୍ବାର ଏହି ବିଦ୍ୟାଳୟ ଆରମ୍ଭ ହୋଇ ଆମରି ଆଶା ପୂରଣ ହେବ । ଏବେ ନବେ ପରିବାର ବିଶିଷ୍ଟ କୋଡ଼କିପଡ଼ା ପ୍ରାୟ ୧.୫ କିଲୋମିଟର ରାସ୍ତା ଅତିକ୍ରମ କରି ମୋହନଗୁଡା ପାଠ ପଢିବା ପାଇଁ ଯାଉଥିବା ସୂଚନା ମିଳିବା ପରେ ଆମେ ପ୍ରଧାନ ଶିକ୍ଷକ ସାଙ୍ଗରେ ଯୋଗାଯୋଗ କରିଥିଲୁ । ବର୍ତ୍ତମାନ କୋଡକି ପଡ଼ାରୁ ବାଟିକାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୫ଜଣ ଛାତ୍ର ଓ ୧୧ଜଣ ଛାତ୍ରୀ ଅଧ୍ୟୟନ କରୁଥିବାର ତଥ୍ୟ ପ୍ରକାଶ କରିଥିଲେ । ଏବେ ସରକାରଙ୍କ ପ୍ରତିବନ୍ଧକ ସୀମାକୁ ଅତିକ୍ରମ କରିସାରିଥିବା ବେଳେ ବିଦ୍ୟାଳୟକୁ ପୁନର୍ବାର ଖୋଲିବା ପାଇଁ ଯୁଧିଷ୍ଠିର ଶବର, ସେନ ଶବର, ନିରାକାର ଶବର ପ୍ରମୁଖ ଦାବୀ କରି ରାଜ୍ୟ ମୁଖିଆ ଆଦିବାସୀ, ସେହିପରି ଗଣ ଶିକ୍ଷାମନ୍ତ୍ରୀ ମଧ୍ୟ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଆଦିବାସୀ ଅଞ୍ଚଳର ଶିକ୍ଷା ପ୍ରତି ନିଶ୍ଚୟ ଧ୍ୟାନ ଦେବେ ବୋଲି ଆଶା ବାନ୍ଧିଛନ୍ତି ।
