
ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ପଦ୍ମପୁର ରାସ୍ତାର ଶୁକଦେବପୁର ଛକ ନିକଟରେ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍ । ଦୁର୍ଘଟଣା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି । ଅନ୍ୟପଟେ ରାସ୍ତା ପାର୍ଶ୍ବରୁ ମାତ୍ର ୧୦ ଫୁଟ ଦୂରରେ ରହୁଥିବା ଗୌରଙ୍ଗଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ, ରବିବାର ଭୋରୁ ଏକ ଟ୍ରକ୍ ଯାଜପୁରରୁ ବାଲି ବୋଝେଇ କରି ବାସୁଦେବପୁର ଅଭିମୁଖେ ଯାଉଥିଲା । ଏତିକି ବେଳେ ଶୁକଦେବପୁର ଛକ ନିକଟରେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାଖରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା । ନିକଟରେ ରହୁଥିବା ଗୌରାଙ୍ଗ ବେହେରାଙ୍କ ପରିବାର ବର୍ତ୍ତି ଯାଇଛନ୍ତି । ଟ୍ରକ୍ ଓଲଟିବା ଦେଖି ଗୌରାଙ୍ଗ ଥାନାକୁ ଖବର କରିଥିଲେ । ଖବର ପାଇ ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର କରିଥିଲେ । ଅଗ୍ନିଶମ ବାହିନୀ ଟ୍ରକ୍ ମଧ୍ୟରେ କେହି ରହିଥିବା ସନ୍ଦେହ କରି ଖୋଜା ଖୋଜି କରି ଫେରିଯାଇଥିଲେ । ହେଲେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।