
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଜି ବି ଗାଁ ଗହଳିରେ ଜାତିପ୍ରଥା ନିଜର ଆସ୍ଥାନ ବଜାୟ ରଖିଛି । ଜାତିଭାଇଙ୍କ ବାସନ୍ଦ ଭୟରେ ଅନ୍ୟ ଜାତିରେ ବାହା ହୋଇଥିବା ବ୍ୟକ୍ତିଙ୍କ ଶବକୁ ନିଜ ପରିବାର ଲୋକେ ମଧ୍ୟ ଛୁଇଁ ନ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଏବଂ କିଛି ସମାଜସେବୀଙ୍କ ଉଦ୍ୟମରେ ଶବ ସତ୍କାର ହୋଇଥିବା ଜଣାଯାଇଛି । ଜାତିପ୍ରଥାର ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି ଲୋଇସିଂହା ବ୍ଲକ ବୁଢ଼ିପଦର ପଞ୍ଚାୟତରେ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ଗ୍ରାମ ପଞ୍ଚାୟତ ପିପିଲିପାଲି ଗ୍ରାମର ଚୌବନ ଧରୁଆଙ୍କ ପୁଅ ଘନଶ୍ୟାମ(୪୨) । ପ୍ରଥମ ସ୍ତ୍ରୀ ଥାଇ ମଧ୍ୟ କିଛିବର୍ଷ ତଳେ ଘନଶ୍ୟାମ ଅନ୍ୟ ଜାତିର(କେଉଁଟ) ଜଣେ ମହିଳାଙ୍କୁ ବିବାହ କରି ଝାରସୁଗୁଡ଼ା ଜିଲ୍ଲା କୋଲାବିରା ନିକଟସ୍ଥ ସମାସିଂହା ଗାଁରେ ରହୁଥିଲେ । ତେବେ ଗତ କିଛିଦିନ ତଳେ ଘନଶ୍ୟାମଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ସ୍ତ୍ରୀ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଘନଶ୍ୟାମଙ୍କ ଦେହାନ୍ତ ହୋଇଯାଇଥିଲା । କୌଣସି ଉପାୟ ନ ପାଇ ଘନଶ୍ୟାମଙ୍କ ସ୍ତ୍ରୀ ସ୍ୱାମୀଙ୍କ ଶବକୁ ଧରି ସୋମବାର ସନ୍ଧ୍ୟାରେ ପିପିଲିପାଲି ଗାଁରେ ପହଂଚିଥିଲେ । ତେବେ ଘନଶ୍ୟାମ ଅନ୍ୟ ଜାତିରେ ବାହା ହୋଇଥିବା ଯୋଗୁଁ ଜାତିଭାଇଙ୍କ ବାସନ୍ଦ ଭୟରେ ତାଙ୍କ ଶବକୁ ପରିବାର ଲୋକେ ଛୁଇଁବାକୁ ଅଥବା ସତ୍କାର କରିବାକୁ ମନା କରି ଦେଇଥିଲେ । ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ପଧାନ ବୁଝାସୁଝା କରିଥିଲେ ମଧ୍ୟ ଘନଶ୍ୟାମଙ୍କ ପରିବାର ଲୋକେ ଶବ ସତ୍କାର ପାଇଁ ରାଜି ହୋଇ ନଥିଲେ । ଅନ୍ୟ ଉପାୟ ନ ପାଇ ସ୍ଥାନୀୟ ଗ୍ରାମବାସୀ ତଥା ସମାଜସେବୀ ଯୁଧିଷ୍ଠିର ପଧାନ, ଲଳିତ ମହାକୁର, ସୀତାରାମ ପଧାନ, ଜୟନ୍ତ ପଧାନ ପ୍ରମୁଖଙ୍କ ସହାୟତା କ୍ରମେ ବିଳମ୍ବିତ ରାତିରେ ଘନଶ୍ୟାମଙ୍କ ଶବ ସତ୍କାର କରାଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି ।