
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଜୁନାଣୀ ଜଙ୍ଗଳରୁ ମିଳିଥିବା ଏକ ଅଚିହ୍ନା ଶବ ଆଜି ୧୦୦ଘଣ୍ଟା ବିତିଯାଇଥିଲେ ସୁଦ୍ଧା ତାର କୌଣସି ପରିଚୟ ନମିଳିବାରୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ସ୍ଥାନୀୟ ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ସତ୍କାର କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୧୭ ତାରିକ ସୋମବାର ଦିନ ବନବିଭାଗ କର୍ମଚାରୀ ହୀରାକୁଦ ୱାଇଲଡଲାଇଫ ସେଞ୍ଚୁରୀ ଏରିଆରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜୁନାଣୀ ଜଙ୍ଗଲ ମଧ୍ୟରେ ଏକ ଯୁବକର ମୃତ ଦେହ ପଡିରହିଥିବା ଦେଖିବାକୁ ପାଇଥିଲେ । ମୃତ ଯୁବକର ବୟସ ଆନୁମାନିକ ୩୦ରୁ ୪୦ବର୍ଷ ପାଖା ପାଖି ହେଉଥିବା ଅନୁମାନ କରାଯାଇପାରେ । ତେବେ ବନ ବିଭାଗ ଠାରୁ ଖବର ପାଇ ଅତାବିରା ଥାନା କର୍ମଚାରୀ ଘଟଣା ସ୍ଥଳକୁ ପହଁଞ୍ଚି ମୃତ ଶବକୁ ଜବତ କରିବା ସହିତ ଅତାବିରା ଥାନା ୩/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଆଣିଥିଲେ ହେଲେ ଆଜି ସୋମବାର ଘଟଣାକୁ ୧୦୦ଘଣ୍ଟାରୁ ଅଧିକ ବିତିଯାଇଥିଲେ ସୁଦ୍ଧା ମୃତ ଶରୀରର କୌଣସି ପରିଚୟ ବା ଦାବିଦାର ନଆସିବାରୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ । ତେବେ ଖବର ପାଇବା ପରେ ସଂକଳ୍ପ ପରିବାରର ସମ୍ପାଦକ ଜି.ରମେଶ, ଅନନ୍ତ ଚରଣ ସାହୁ, ଚିନ୍ମୟ ପାଣ୍ଡେ, ଶେଷଦେବ ପଧାନ, ନୀଲେଶ ପଧାନ ପ୍ରମୁଖ ଅତାବିରା ପୋଲିସ ଉପସ୍ଥିତିରେ ସ୍ଥାନୀୟ ପିପଲମୁଣ୍ଡା ସ୍ୱର୍ଗଦ୍ୱାରରେ ସସମ୍ମାନେ ଶବସତ୍କାର କରିଥିଲେ ।