ନୂଆଁଖାଇ ପାଳିଲେ ଲକ୍ଷେଘର ଗଣ୍ଡା ସମାଜର ପରିବାର : ସୃଷ୍ଟି କଲେ ନିଆରା ଉଦାହରଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଏକାଠି ମିଶି ୫୨ ପରିବାରର ୨୦୫ ଜଣ ପଡ଼ାବାସୀ ନୂଆଁ ଖାଇଲେ । ନୂଆଁଖାଇ ହେଉଛି ଅନେକତାରେ ଏକତା ସୂତ୍ରରେ ବାନ୍ଧିବାର ପର୍ବ । ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଗ୍ରାମର ଗୋଟିଏ ସାହି ଏକା ସାଙ୍ଗେ ନୁଆଁ ଖାଇବା ହେଉଛି ଏକ ସୂତ୍ରରେ ବାନ୍ଧି ହୋଇ ରହିବାର ପର୍ବ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମର ହରିଜନ ସାହି ଏକାଠି ହୋଇ ୫୨ ପରିବାରର ପ୍ରାୟ ୨୦୦ରୁ ଉର୍ଦ୍ଧ୍ଵ ଲୋକ ନୂଆଁ ଖାଇଛନ୍ତି । ନିଆଁରା ଢଙ୍ଗରେ ପାଳନ କରିଛନ୍ତି ଏହି କୃଷିଭିତ୍ତିକ ପର୍ବ ନୂଆଁଖାଇ । ପ୍ରାୟତଃ ଆମେ ଦେଖିଥାଉ କି ନୂଆଁଖାଇ ଗୋଟିଏ ପରିବାର ଏକାଠି ହୋଇ ମିଶିକି ଖାଇଥାନ୍ତି । କିନ୍ତୁ ମାଟିଆଭଟା ଗ୍ରାମର ହରିଜନ ସମାଜର ସମସ୍ତେ ଏକାଠି ହୋଇ ନିଆରା ଢଙ୍ଗରେ ନୂଆଁ ଖାଇବା ଆରମ୍ଭ କରି ଏକ ଭିନ୍ନ ଉଦାହରଣ ପ୍ରସ୍ତୁତ କରିଛନ୍ତି । ସମସ୍ତେ ଏକା ସାଙ୍ଗରେ ରୋଷେଇ କରି ପିଠାପଣା ସମସ୍ତ ଜିନିଷ ପ୍ରସ୍ତୁତ କରିଥିଲେ । ସବୁଠୁ ବଡ଼କଥା ହେଲା ଏମାନେ ଏକାଠି ହୋଇ ସମସ୍ତେ କିଏ ଧନୀ କିଏ ଗରିବ ସମସ୍ତେ ସମାନ ଢଙ୍ଗରେ ପଡ଼ାବାସୀ ନୂଆଁ ଖାଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତ୍ୟେକ ସାମଗ୍ରୀ କିଣିବା ପାଇଁ ପଡ଼ାର ପ୍ରତ୍ୟେକ ବ୍ୟକ୍ତି ଯାହାର ଯେତେ ସାମର୍ଥ୍ୟ ସେମାନେ ମୁକ୍ତ ହସ୍ତରେ ଦେଇଛନ୍ତି । କାହାକୁ ବାଧ୍ୟ କରାଯାଇନି । ସେହିପରି ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ଗ୍ରାମର ଲକ୍ଷେଘର ଗଣ୍ଡା ସମାଜର ଆମ୍ବେଦକର ଯୁବକ ସଙ୍ଘର ତତ୍ତ୍ୱାବଧାନରେ ୩୦ ପରିବାର ଏକାଠି ନୁଆଁ ଖାଇଥିବା ଜଣାପଡିଛି । ସତରେ ନିଆରା ଢଙ୍ଗରେ ନୂଆଁଖାଇ ପାଳନ କରିଛନ୍ତି ମାଟିଆଭଟା ଏବଂ ବାଗଝରଣ ଗ୍ରାମର ଲକ୍ଷେଘର ଗଣ୍ଡା ସମାଜର ଲୋକ । ଏକତା ଓ ଭାଇଚାରାର ଏହି ପର୍ବ ନିଦର୍ଶନ ପରସ୍ପର ଭିତରେ ସୃଷ୍ଟି ହୋଇଥିବା ଦୂରତାକୁ ଦୂର କରିବାକୁ ଏକାଠି ନୂଆଁ ଖାଇଲେ ଗଣ୍ଡା ସମାଜ । ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରି ଭୋଜି ଭାତର ଆସରରେ ମସଗୁଲ ହୋଇଥିଲେ । ଗଣ୍ଡା ସମାଜରେ କୌଣସି ଘରେ ରୋଷେଇ ହୋଇନଥିଲା । ସମସ୍ତେ ଏକାଠି ମିଶି ଗୋଟିଏ ସ୍ଥାନରେ ରୋଷେଇ କରିବା ସହ ନବାନ୍ନ ପର୍ବକୁ ପାଳନ କରିବା ସହ ଏକାଠି ଖାଇଛନ୍ତି । ପରେ ଭାଇଚାରା ସୃଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ମାଟିଆଭଟା ଗ୍ରାମରେ ନୂଆଁଖାଇ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.