ଯାତ୍ରୀ ସୁରକ୍ଷା ପ୍ରତି କୌଣସି ଅଣଦେଖା କରାଯିବ ନାହିଁ : ପରିବହନ ଆୟୁକ୍ତ

  • ରାଜ୍ୟ ପରିବହନ ପ୍ରାଧିକରଣ ଓ ବସ୍ ମାଲିକ ସଂଘ ମଧ୍ୟରେ ବୈଠକ
  • ଫିଟ୍‌ନେସ୍‌ ଯାଞ୍ଚ ନିର୍ଦ୍ଦେଶନାମା ସଂପର୍କରେ ସ୍ପଷ୍ଟ କଲେ ଆୟୁକ୍ତ
  • ଚେକଲିଷ୍ଟରେ ଯୋଡ଼ା ଯାଇନି ନୂଆ କଥା, ଆଇନର ସଠିକ ଅନୁପାଳନ ପାଇଁ ନିର୍ଦ୍ଦେଶ
  • ସଡ଼କ ସୁରକ୍ଷା କ୍ଷେତ୍ରରେ ଲୋଡ଼ିଲେ ବସ୍ ମାଲିକ ସଂଘର ସହଯୋଗ

ଭୁବନେଶ୍ୱର : ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ଓ ଘରୋଇ ବସ୍ ମାଲିକ ସଂଘ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାଧିକରଣର ବରିଷ୍ଠ ଅଧିକାରୀ ଓ ବସ୍ ମାଲିକ ସଂଘର ପଦାଧିକାରୀମାନେ ସାମିଲ ହୋଇଥିଲେ । ଏହି ବୈଠକରେ ବସ୍ ମାଲିକମାନେ ନିଜର ସମସ୍ୟା ଉପସ୍ଥାପିତ କରିଛନ୍ତି । ତେବେ ଯାତ୍ରୀଙ୍କ ନିକଟରୁ ବସ୍ ସେବା ସମ୍ବନ୍ଧରେ ଆସୁଥିବା ଅଭିଯୋଗ ଓ ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସମସ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍ତି । ମୋଟର ଯାନ ଆଇନର ସଠିକ୍‌ ଅନୁପାଳନ, ଫିଟ୍‌ନେସ୍‌ ଯାଞ୍ଚ ବେଳେ ଅଧିକ ଦାୟିତ୍ୱବାନ ହେବାକୁ ସମସ୍ତ ଆର୍‌ଟିଓ ଓ ଏମ୍‌ଭିଆଇ ମାନଙ୍କୁ ପରିବହନ ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ କିଛି ବସ୍ ମାଲିକ ଆପତ୍ତି ଉଠାଇଥିଲେ । ଏହା ଉପରେ ସ୍ପଷ୍ଟତା ରଖି ପରିବହନ ଆୟୁକ୍ତ କହିଛନ୍ତି, ଫିଟନେସକୁ ନେଇ ଚେକଲିଷ୍ଟରେ କୌଣସି ନୂଆ କଥା ଯୋଡ଼ା ଯାଇନାହିଁ । ତେଣୁ ବସ୍ ମାଲିକମାନେ ଏହାକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଆଇନର ସଠିକ୍ ଅନୁପାଳନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । କାରଣ ଯାତ୍ରୀ ସୁରକ୍ଷା ହେଉଛି ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ବିଷୟ । ଏହାକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇପାରିବ ନାହିଁ । ସଡ଼କ ସୁରକ୍ଷା ଭଳି ଗମ୍ଭୀର ପ୍ରସଙ୍ଗରେ ସମସ୍ତ ସହଯୋଗ କରିବାକୁ ସେ ବସ୍ ମାଲିକ ସଂଘକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ, ବସ୍ ମାଲିକ ସଂଘ ପକ୍ଷରୁ ପକ୍ଷରୁ ଲକ୍ଷ୍ମୀ ବସ୍, ମୋ ବସ୍ ଆଦି ପ୍ରସଙ୍ଗ ମଧ୍ୟ ଉତ୍ଥାପନ କରାଯାଇଥିଲା । ୧୫ ବର୍ଷରୁ ଉର୍ଦ୍ଧ୍ୱ ଗାଡ଼ିର ପରମିଟ କଥା ଆଲୋଚନା କରାଯାଇଥିଲା । ଏହାସହ କିଛି ବସ୍ ମାଲିକମାନେ ରୁଟ୍ ଓ ସମୟକୁ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଅଭିଯୋଗ ରଖିଥିଲେ । ଏ ସଂପର୍କରେ ପରିବହନ ଆୟୁକ୍ତ କହିଛନ୍ତି, ବସ୍ ମାଲିକମାନେ ନିଜର ଅଭିଯୋଗକୁ ଏସଟିଏ ନିକଟରେ ଦାଖଲ କରନ୍ତୁ । ସେ ବ୍ୟକ୍ତିଗତ ଭାବେ ଏହାର ଅନୁଧ୍ୟାନ କରି ସମାଧାନ ପାଇଁ ପଦକ୍ଷେପ ନେବେ । ବସ୍ ମାଲିକ ସଂଘର ସମସ୍ୟା ସମାଧାନ କରିବାକୁ ଏସଟିଏ ଯତ୍ନବାନ ରହିଛି । ସେହିଭଳି ବସ୍ ମାଲିକମାନେ ମଧ୍ୟ ଯାତ୍ରୀଙ୍କୁ ଉତ୍ତମ ସେବା ଦିଗରେ ଅଧିକ ଦାୟିତ୍ୱବାନ ହୁଅନ୍ତୁ । ସଡ଼କ ଦୁର୍ଘଟଣା ହ୍ରାସ ସରକାରଙ୍କ ପ୍ରାଧାନ୍ୟରେ ରହିଛି । ଏ ଦିଗରେ ବସ୍ ମାଲିକ ଓ ଚାଳକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ପରିବହନ ଆୟୁକ୍ତ ଗଞ୍ଜାମ ସମରଝୋଳ ଛକ ଦୁର୍ଘଟଣାର ଉଦାହରଣ ରଖିଥିଲେ । ସରକାର ଓ ସଂଘର ମିଳିତ ପ୍ରୟାସରେ ରାଜ୍ୟକୁ କିଭଳି ଦୁର୍ଘଟଣାମୁକ୍ତ କରାଯିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଛନ୍ତି । ପୂର୍ବରୁ ବିଭିନ୍ନ ଅଭିଯୋଗ ନେଇ ମାଲିକ ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲା । ଅନ୍ୟପକ୍ଷରେ, ଅନେକ ସମୟରେ ଯାତ୍ରୀମାନେ ଭଡ଼ା ପ୍ରସଙ୍ଗ ହେଉ କିମ୍ବା ଅନେକ ବସ୍ ଫିଟନେସକୁ ନେଇ ଆପତ୍ତି ଉଠାଇ ଆସିଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ଘରୋଇ ବସ୍ ମାଲିକ ଓ ଏସ୍‌ଟିଏ ଅଧିକାରୀଙ୍କ ମଧ୍ୟରେ ବୈଠକ ପାଇଁ ନିଷ୍ପତ୍ତି ହୋଇଥିଲା । କଟକ ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ବୈଠକରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଶତାଧିକ ବସ୍ ମାଲିକମାନେ ସାମିଲ ହୋଇଥିଲେ । ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସଭାପତି ଲୋକନାଥ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ପ୍ରମୁଖ ବସ୍ ମାଲିକମାନଙ୍କ ଅନ୍ୟାନ୍ୟ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ସେହଭଳି ଏସ୍‌ଟିଏ ସଚିବ ଚିନ୍ମୟୀ ବିଶ୍ୱାଳ, ଅତିରିକ୍ତ ପରିବହନ ଆୟୁକ୍ତ ଇନ୍ଦ୍ରମଣି ନାୟକ, ଲାଲମୋହନ ସେଠୀ, ଦୀପ୍ତି ରଂଜନ ପାତ୍ର, ଯୁଗ୍ମ ପରିବହନ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି, ଉପ ଆୟୁକ୍ତ ବିରଞ୍ଚି ନାରାୟଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସଫଳତାର ସହ ସଂପନ୍ନ ହୋଇଥିଲା ।

Leave A Reply

Your email address will not be published.