
• ୭ ଚୋରା ବାଇକ, ୯ ସୁନା ଚେନ୍ ସହିତ ୩ ଜଣ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ସଦର ଆଦର୍ଶ ଥାନା ପକ୍ଷରୁ ଶନିବାର ଚଢ଼ାଉ କରାଯାଇ ୭ଟି ଚୋରା ବାଇକ, ୯ ଟି ସୁନା ଚେନ୍ ସହିତ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଗତ ୧୪ ତାରିଖ ଅପରାହ୍ନରେ ପ୍ରୀତି ମିଶ୍ର ନାମକ ମହିଳା ନିଜ ମହିଳା ବନ୍ଧୁ ଲଷ୍ମୀପ୍ରିୟା ତ୍ରିପାଠୀଙ୍କ ସହ ଏକ ସ୍କୁଟି ଯୋଗେ ବ୍ୟାଙ୍କ ଛକରୁ ନୂଆ ବସଷ୍ଟାଣ୍ଡ ଯାଉଥିବା ବେଳେ ଦୁର୍ବୃତ୍ତ ମାନେ ଲଷ୍ମୀପ୍ରିୟାଙ୍କ ବେକରୁ ଏକ ସୁନା ଚେନ ଝାମ୍ପି ନେଇ ଫେରାର ହୋଇଯାଇଥିଲେ ବୋଲି ଏତଲା ହୋଇଥିଲା । ଏ ନେଇ ଆଦର୍ଶ ଥାନା ପକ୍ଷରୁ କେସ୍ ନମ୍ବର -୨୯୫/୨୦୨୨ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଏହି ଘଟଣାକୁ ଖୋର୍ଦ୍ଧା ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆ ଗୁରୁତ୍ୱର ସହିତ ନେଇ ଖୋର୍ଦ୍ଧା ଏସ୍ଡ଼ିପିଓ ସୁଶୀଲ ମିଶ୍ର ଓ ଭାରପ୍ରାପ୍ତ ଆଦର୍ଶ ଥାନା ଅଧିକାରୀ ତଥା ଡି.ଏସ.ପି. ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଖୋର୍ଦ୍ଧାର ବିଭିନ୍ନ ସ୍ଥାନ ଚଢ଼ାଉ କରାଯାଇଥିଲା । ଶନିବାର ଏହି ଚଢ଼ାଉରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ କାଳୀ ପ୍ରସାଦ ରାଉଳ, (ଗଡ଼-ଖୋର୍ଦ୍ଧା), (୨୬)ସୁନୀଲ ମାନସିଂହ(ନନ୍ଦପୁର), ଖୋର୍ଦ୍ଧା (୨୮) ଏବଂ ସୁନା ବେପାରୀ ବିଭୂତି ଭୂଷଣ ସାହୁ (୩୨), ରାଇଘରପୁର, ଗଡ଼ିଶା ଗୋଦା, (ପୁରୀ ) । ଅଭିଯୁକ୍ତମାନେ ନୂଆ ବସଷ୍ଟାଣ୍ଡ, ପିତାପଲ୍ଲୀ, ଯାଆଁଳା, ବ୍ୟାଙ୍କ- ଛକ, ଟିଏଲ୍ସି ରୋଡ଼, ଭୁବନେଶ୍ୱରର ଭରତପୁର । ଜଟଣୀ, ଅଞ୍ଚଳରୁ ଉକ୍ତ ଚେନ୍ ଲୁଟ କରୁଥିଲେ । ତେବେ ଅଭିଯୁକ୍ତମାନେ ଚୋରି ଚେନ୍କୁ ମନାପୁରମ ଗୋଲଡ଼ ଲୋନ, ଆଇ ଆଇ ଏଫ୍ଏଲ୍ ବ୍ୟାଙ୍କରୁ ୭ ଗୋଟି ସୁନା ଚେନ୍ ବନ୍ଧକ ରଖି ଋଣ ନେଇଥିବା ବେଳେ ବାକି ସୁନା ଚେନ ବଣିଆ ଠାରୁ ଜବତ କରିଛି । ସେହିଭଳି ଅଭିଯୁକ୍ତ ମାନେ ଏକାଧିକ ମୋଟର ସାଇକେଲ ଚୋରି ମାମଲାରେ ଜଡିତ ଥିବା ପୋଲିସ ଜାଣିବାକୁ ପାଇବା ସହିତ ସେମାନଙ୍କ ଠାରୁ ୭ ଗୋଟି ଚୋରା ମୋଟର ସାଇକେଲ ଜବତ କରିଛି । ଏମାନେ ଅନେକ ଚୋରି କେସ୍ରେ ସମ୍ପୃକ୍ତ ଥିବା ବେଳେ ଆଜିର ସ୍ୱତନ୍ତ୍ର ଟିମ୍ରେ ଅତିରିକ୍ତ ଥାନା ଅଧିକାରୀ ରୀତମ୍ବର କର, ଏସ.ଆଇ. ସୁକାନ୍ତ ଦଳେଇ, ପଦ୍ମଲୋଚନ ବେହେରା, ଏ.ଏସ.ଆଇ. ପବିତ୍ର ମୋହନ ପ୍ରଧାନ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ ।
