ଶ୍ରୀନଗର : ଭୂସ୍ୱର୍ଗ ଜମ୍ମୁ ଓ କଶ୍ମୀରରେ ବିକାଶର ଆରମ୍ଭ ହୋଇଯାଇଛି । ବିଶ୍ୱର ସର୍ବୋଚ୍ଚ ରେଳ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୫ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଅତ୍ୟାଧୁନିକ ଚେନାବ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ କଶ୍ମୀରବାସୀଙ୍କୁ ୪୬ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି । ଏଣିକି ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ସହଜ ହେବ । ୩୫୯ ମିଟର ଉଚ୍ଚତା, ୧୩୧୫ ମିଟର ଦୈର୍ଘ୍ୟ ଓ ୪୬୭ ମିଟର ତୋରଣ ସ୍ପାନର ଚେନାବ ସେତୁଟି ନିର୍ମାଣ ହୋଇଛି । ଏହି ସେତୁ ଜମ୍ମୁ ଓ କାଶ୍ମୀରର ରିଆସ ଜିଲ୍ଲାର କାଉରି ଓ ବକ୍କାଲ ଅଞ୍ଚଳକୁ ସଂଯୋଗ କରୁଛି । ଚେନାବ ସେତୁ ଉଦଘାଟନ କାର୍ଯ୍ୟକ୍ରମରେ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ । ଚେନାବ ସେତୁ ଲୋକାର୍ପିତ ସମେତ ଅଞ୍ଜି ସେତୁ ଉଦଘାଟନ କରିଛନ୍ତି । ଅଞ୍ଜି ସେତୁ ଭାରତର ପ୍ରଥମ କେବୁଲ ଷ୍ଡେଡ ରେଳ ସେତୁ । ୭୨୫ ମିଟର ଦୈର୍ଘ୍ୟ, ୨୯୦ ମିଟର ମେନ୍ ସ୍ପାନର ଅଞ୍ଜି ସେତୁ ଜମ୍ମୁ ଓ କଶ୍ମୀରର କଟ୍ରା ଓ ରିଆସି ଜିଲ୍ଲାକୁ ସଂଯୋଗ କରିବ । ଏକକ ବୃହତ ପାଇଲନ ସହ ୯୬ଟି କେବୁଲ ସଂଯୁକ୍ତ, ୧୯୩ ମିଟର ଉଚ୍ଚ ଏହି ବ୍ରିଜ । ଏହା ସହିତ ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ଲିଙ୍କ ପ୍ରକଳ୍ପର ଉଦଘାଟିତ ହୋଇଛି । ଏହା ସହିତ ୨ ବନ୍ଦେ ଭାରତ ଟ୍ରେନ୍ର ମାତା ବୈଷ୍ଣୋଦେବୀ କଟ୍ରା- ଶ୍ରୀନଗର ଓ ଶ୍ରୀନଗର ବୈଷ୍ଣୋ ଦେବୀ କଟ୍ରା ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମାତ୍ର ୩ ଘଣ୍ଟାରେ କଟ୍ରାରୁ ଶ୍ରୀନଗରକୁ ଯାତ୍ରା ସମ୍ଭବ ହେବ ।

Prev Post