centurian jitm

ଇ-କାର୍ଟ ଗୋଡାଉନ ଚୋରି ଘଟଣାର ପର୍ଦ୍ଦାଫାଶ କଲା ଖପ୍ରାଖୋଲ ପୋଲିସ

  • ୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବର୍ତ୍ତମାନ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଚୋରି କରିବା ପାଇଁ ସେମାନେ କିଛି ଛାଡୁ ନାହାନ୍ତି, ପୋଲିସକୁ ମଧ୍ୟ ଏମାନଙ୍କ ଆଉ ଭୟ ନାହିଁ, ମନଇଛା ଚୋରି କରି ଖସି ପଳାଉଛନ୍ତି । କିନ୍ତୁ ଚୋର ଯେତେ ଚାଲାକ ହେଲେ ବି ପୋଲିସ ଆଗରେ ତାଙ୍କ ଚାଲାକି ଫିକା ପଡ଼ିଯାଏ । ସେହିପରି ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ଠାରେ ସୋମବାର ମଧ୍ୟ ରାତ୍ରିରେ ଇ-କାର୍ଟ ଗୋଡାଉନ କାର୍ଯ୍ୟାଳୟରୁ ଚୋରି ହୋଇଥିବା ଘଟଣାର ପର୍ଦ୍ଦାଫାଶ କରିଛି ଖପ୍ରାଖୋଲ ପୋଲିସ । ପ୍ରାପ୍ତ ସୂଚନା ଅନୁସାରେ ଗତ ସୋମବାର ମଧ୍ୟ ରାତ୍ରି ସମୟରେ ଖପ୍ରାଖୋଲ ଭାରତ ପେଟ୍ରୋଲିୟମ ନିକଟସ୍ଥ ଇ-କାର୍ଟ ଗୋଡାଉନର ସ୍କାଇ ଲାଇଟ ଦେଇ ଭିତରକୁ ପଶି ହଜାର ହଜାର ଟଙ୍କାର ସାମଗ୍ରୀ ଚୋରି କରି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ସକାଳେ ଗୋଡାଉନ ଖୋଲିବା ପରେ ଚୋରି ହୋଇଥିବା ଜାଣି ଗୋଡାଉନ ସୁପରଭାଇଜର ରାଜେଶ ଦାସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ, ଏହି ଅଭିଯୋଗକୁ ଭିତ୍ତିକରି ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ରଙ୍କ ତତ୍ତ୍ଵାବଧାନରେ ଏକ ଟିମ୍‌ ଗଠନ କରି ଛାନ୍‌ଭିନ୍‌ ଆରମ୍ଭ ହୋଇଥିବାବେଳେ ବଲାଙ୍ଗିରରୁ ସାଇଣ୍ଟିଫିକ ଦଳ ଏବଂ କେ-୯ ସ୍ୱାନ ପେନି (ସନ୍ଧାନୀ କୁକୁର) ଡକାଯାଇଥିଲା । ସ୍ୱାନ ପେନି ଚୋରଙ୍କୁ ଧରିବାରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । ଖପ୍ରାଖୋଲ ପୋଲିସର ଅକ୍ଲାନ୍ତ ପରିଶ୍ରମ ୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତକୁ ଧରିବାରେ ସଫଳତା ହାସଲ କରିଥିବାବେଳେ ସେମାନଙ୍କ ନିକଟରୁ ଚୋରି ହୋଇଥିବା ସାମଗ୍ରୀ ସହ ଚୋରୀରେ ବ୍ୟବହୃତ ଗୋଟିଏ ଆପାଚି ବାଇକ୍‌ ନଂ ଓଡି ୧୭ଏବି ୪୧୭୬ ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ସଦର ଖପ୍ରାଖୋଲର ଇରଫାନ ନାଗ (ବେଡା) (୨୦) ଏବଂ ଖପ୍ରାଖୋଲ ଥାନା ବଡ଼ ଗୁର୍ଜିଭଟା ଗ୍ରାମର ନୀତିଶ ବାରିକ (୨୪) ବୋଲି ପୋଲିସ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୨୫୬/୨୦୨୪ରେ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ଖପ୍ରାଖୋଲ ପୋଲିସର ଅକ୍ଲାନ୍ତ ପରିଶ୍ରମ ଏବଂ ସଫଳତାକୁ ନେଇ ଜନସାଧାରଣରେ ଭୁରି ଭୁରି ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.