ଶ୍ରଦ୍ଧାରେ ଅଭିଭାବକ ସଚେତନତା ଓ ପରାମର୍ଶ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଶ୍ରଦ୍ଧା’ ପରିସରରେ ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ଅଭିଭାବକମାନଙ୍କ ପାଇଁ ଏକ ସଚେତନତା ଓ ପରାମର୍ଶ ଶିବିର ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜଗାଙ୍ଗପୁର ହୋପ୍ ଅନୁଷ୍ଠାନର ସମ୍ପାଦକ ଆଶୀର୍ବାଦ ସାମଲ ଓ ସୁହୃଦ ସେବା ସମିତିର ସନ୍ତୋଷ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥି ଏବଂ ଶ୍ରଦ୍ଧାର ସ୍ଵତନ୍ତ୍ର ପିଲାମାନେ ମିଶି ପ୍ରଦୀପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସଭାପତି ଶ୍ରୀ ଚାଟାର୍ଜୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେବା ସଙ୍ଗେ ସଙ୍ଗେ ଉଭୟ ଅଭିଭାବକ ତଥା ବାପା ଓ ମାଆ ଏବଂ ତାଙ୍କର ସହୋଦରମାନେ ଏହି ପିଲାମାନଙ୍କ ବିଷୟରେ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ଥିବା ଆଇନ ଓ ଅଧିକାର ବିଷୟରେ ସଚେତନ ହେବା ଆବଶ୍ୟକ ବୋଲି ମତ ଦେବା ସହିତ ନିୟମିତ ଭାବେ ଅନୁଷ୍ଠାନକୁ ଆସି ସେମାନଙ୍କର ତାଲିମ ଓ ସ୍ଵତନ୍ତ୍ର ପାଠପଢ଼ା ବିଷୟରେ ଶିକ୍ଷକ ମାନଙ୍କଠାରୁ ବୁଝିନେବା ଜରୁରୀ ବୋଲି ମତ ଦେଇଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥିମାନଙ୍କର ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ପି.ପି.ଟି ମାଧ୍ୟମରେ “ଭିନ୍ନକ୍ଷମଙ୍କ ଅଧିକାର ଓ ଆଇନ-୨୦୧୬” ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସେ ଭିନ୍ନକ୍ଷମତାର ପ୍ରକାର, ଶିକ୍ଷା-ନିଯୁକ୍ତି, ଦାରିଦ୍ର୍ୟ ଦୂରୀକରଣର ଯୋଜନା, ବାଧାବିହୀନ ଯାତାୟତ, ଭୋଟ ଦେବାର ଅଧିକାର, ସମାନତାର ଅଧିକାର, ସୂଚନା ଓ ଯୋଗାଯୋଗ, ଖେଳ, ଫୁରସତ ଓ ଚିତ୍ତବିନୋଦନ, ଅପରାଧ ଓ ଦଣ୍ଡବ୍ୟବସ୍ଥା ତଥା ସମସ୍ତ ମୌଳିକ ଅଧିକାର ଉପରେ ପୁଙ୍ଖାନୁପୁଙ୍ଖ ଭାବେ ସୂଚନା ଦେଇଥିଲେ । ସମ୍ମାନୀୟ ଅତିଥି ସନ୍ତୋଷ କୁମାର ସାହୁ ଓ ଆଶୀର୍ବାଦ ସାମଲ ଅଭିଭାବକଙ୍କ ଭୂମିକା ଉପରେ ମତାମତ ରଖିଥିଲେ । ଶ୍ରୀ ସାହୁ କହିଥିଲେ ଯେ, ସୂର୍ଯ୍ୟଙ୍କୁ ଯେପରି ଆମେ ଖରା, ବର୍ଷା ଓ ଶୀତ ତଥା ଝଡି ବର୍ଷାରେ ପ୍ରତ୍ୟେକ ଦିନ ଅନୁଭବ କରିଥାଉ ସେପରି ଅଭିଭାବକମାନେ ପିଲାମାନଙ୍କ ପଛରେ ରହି ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟକୁ ବୁଝିବା ଓ ବୁଝାଇବା ଆବଶ୍ୟକ । ଶ୍ରୀ ସାମଲ ମତାମତ ଦେଇଥିଲେ ଯେ, ବିଦ୍ୟାଳୟ ଭଳି ପିଲାମାନଙ୍କୁ ଅଭିଭାବକମାନେ ଘରେ ଅନେକ କିଛି ଶିକ୍ଷା ଦେଇ ପାରିବେ । ସେ ସ୍ଵତନ୍ତ୍ର ଶିକ୍ଷା ହେଉ ବା ବୈଷୟିକ ଶିକ୍ଷା ହେଉ । ସେଥିପାଇଁ ଅଭିଭାବକମାନେ ଧୈର୍ଯ୍ୟ ଧରି କାମ କରିବା ଉଚିତ୍‌ । ଶ୍ରଦ୍ଧାର ଶିକ୍ଷୟିତ୍ରୀ ପ୍ରୀତି ବାରିକ, ଅଞ୍ଜଳି ମହାରଣା, ସୁଜାତା ରାଉତ ଏବଂ ନାଗାଲାଣ୍ଡରୁ ଶ୍ରଦ୍ଧାକୁ ଆସିଥିବା ଅର୍ଚ୍ଚନା ମିଞ୍ଜ ଅଭିଭାବକମାନଙ୍କ ସହିତ ଖୋଲା ଆଲୋଚନା କାର୍ଯ୍ୟକ୍ରମରେ ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ । ଅଭିଭାବକମାନଙ୍କୁ ନି‌ୟମିତ ଅନୁଷ୍ଠାନର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଓ ନିଜ ପିଲାଙ୍କ ବି‌ଷୟରେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ । ଅଭିଭାବକମାନଙ୍କ ମଧ୍ୟରେ ସର୍ବଶ୍ରୀ ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଅନୁପମା ଦାସ, ଆଶା ଦେବୀ, ଗୀତାଞ୍ଜଳି ବେହେରାଙ୍କ ସମେତ ୪୦ରୁ ଅଧିକ ଅଭିଭାବକ ଅଂଶ ଗ୍ରହଣ କରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପ୍ରୀତି ବାରିକ, ଅଞ୍ଜଳି ମହାରଣା, ସୁଜାତା ରାଉତ, ସୁକୁମାର ପାଣ୍ଡବ, ଇତିଶ୍ରୀ ଦାସ, ଧିରେନ କୁମାର ଓଝା, ପ୍ରଭାତୀ ପ୍ରଧାନ ଏବଂ ସନ୍ତୋଷୀ କୁମ୍ଭାର ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଏବଂ ସ୍ଵୟଂପ୍ରଭା ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.