oom

ଓଡ଼ିଶାର ସ୍ୱନାମଧନ୍ୟ ଶଲ୍ୟ ଚିକିତ୍ସକ ସତ୍ୟବ୍ରତ ମହାପାତ୍ରଙ୍କ ପରଲୋକ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ସ୍ୱନାମଧନ୍ୟ ବରିଷ୍ଠ ଶଲ୍ୟ ଚିକିତ୍ସକ ଡ଼ାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ଭୁବନେଶ୍ୱରସ୍ଥିତ ଧର୍ମନଗର ବାସଭବନରେ ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମହାପାତ୍ର ଜଣେ ଛାତ୍ର ନେତା ଭାବେ ବେଶ ପରିଚିତ ଥିଲେ । ସେ ଐତିହାସିକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆନ୍ଦୋଳନର କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଦାୟିତ୍ୱରେ ଥିବାବେଳେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତ୍ତି ସରକାର ଘୋଷଣା ନ କଲେ ଆତ୍ମଦାହ କରିବାକୁ ଚେତାବନୀ ଦେଇଥିଲେ । ଫଳରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ । ସେ ବ୍ରହ୍ମପୁର ମେଡିକାଲ କଲେଜର ପ୍ରଥମ ବେଚ୍‌ ଛାତ୍ର ଥିଲେ । ଛାତ୍ର ସଂସଦର ସଭାପତି ମଧ୍ୟ ରହିଥିଲେ । ଡାକ୍ତର ରୂପେ ଆସିକା, ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲ, ଛତ୍ରପୁର ଓ ଖୋର୍ଦ୍ଧା ହସ୍ପିଟାଲରେ ସାଧାରଣ ଲୋକ ତଥା ଗରିବ ଲୋକଙ୍କ ଅତିପ୍ରିୟ ଡ଼ାକ୍ତର ରୂପେ ସୁଖ୍ୟାତି ଅର୍ଜନ କରିଥିଲେ । ସେ ହଜାର ହଜାର ରୋଗୀଙ୍କ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ଚିକିତ୍ସା ବାବଦରେ କେବେ ବି ରୋଗୀଙ୍କଠାରୁ ଅର୍ଥ ନେଉନଥିଲେ । ସେ ସମାଜବାଦୀ ଆଦର୍ଶରେ ଭାରତ ବର୍ଷର ବିଶିଷ୍ଟ ସମାଜବାଦୀ ନେତା ରାମ ମନୋହର ଲୋହିଆ, ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏକ ସରଳ ଓ ସଚ୍ଚୋଟ ଜୀବନ ବିତାଉଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱର୍ଗତ ମହାପାତ୍ର ଝାରଖଣ୍ଡ ରାଜ୍ୟର ସ୍ୱାସ୍ଥ୍ୟ ପରାମର୍ଶଦାତା ଭାବେ ମନୋନୀତ ହୋଇ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ତାଙ୍କ ଉଦ୍ୟମରେ ଘରୋଇ ଡ଼ାକ୍ତରମାନଙ୍କ ଚିକିତ୍ସା ବନ୍ଦ ହୋଇଥିଲା । ଏହା ଏକ ଐତିହାସିକ ପଦକ୍ଷେପ ଥିଲା । ସେ ଗଜପତି ଜିଲା ପାରଳାଖେମୁଣ୍ଡିରେ ୧୯୪୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ଶେଷ ଶଯ୍ୟା ନିକଟରେ ଧର୍ମପତ୍ନୀ ଡ଼ା. ଉଷା ଦାଶ, ଦୁଇ ପୁତ୍ର ବିଶ୍ୱରଂଜନ, ପ୍ରିୟରଂଜନ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରଠାରେ ସୋମବାର ସ୍ୱର୍ଗତ ମହାପାତ୍ରଙ୍କ ଶେଷକୃତ ସମ୍ପନ୍ନ ହୋଇଛି । ତାଙ୍କ ବିୟୋଗରେ ଝାରଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଷଡ଼ଙ୍ଗୀ, ବିଶିଷ୍ଟ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା, ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଡ଼ା. ନିରାକର ଭଟ୍ଟ, ସମାଜ ବିଜ୍ଞାନୀ ଭଗବାନ ସାହୁ, ଆଡ଼ଭୋକେଟ ସନ୍ତୋଷ ମହାପାତ୍ର, ରଜନୀକାନ୍ତ ବକ୍ସି, ବରିଷ୍ଠ ସାମ୍ବାଦିକ ନରସିଂହ ସାହୁ, ରେଭେନ୍ସା କଲେଜର ପୂର୍ବତନ ସଭାପତି ଚିତ୍ତରଂଜନ ମହାନ୍ତି, ବିଧାୟକ ଶଶିଭୂଷଣ ବେହେରା, ହାଇକୋର୍ଟର ବରିଷ୍ଠ ଆଡ଼ଭୋକେଟ ଶିଶିର ଦାସ, ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ଚନ୍ଦ୍ରଧ୍ୱଜ ସାହୁ, ଅଧ୍ୟାପକ ବିଜୟ ମିଶ୍ର, ଅନନ୍ତରାମ କର କୌଣ୍ଡନ୍ୟ, ଅଧ୍ୟାପକ ନିର୍ମଳ ଚନ୍ଦ୍ର ସାହୁ, ପ୍ରକାଶ ପାଣିଗ୍ରାହୀଙ୍କ ସମେତ ଲୋହିୟା ଏକାଡେ଼ମୀ କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

jittmm
Leave A Reply

Your email address will not be published.