ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ରଘୁନାଥ ମନ୍ଦିର ମଠର ମହନ୍ତ ଶ୍ରୀ ଶ୍ରୀ ବାସୁଦେବ ଦାସ ମହାରାଜଙ୍କ ପରଲୋକ ହୋଇଯାଇଛି । ମଠାଧିସଙ୍କ ପରଲୋକରେ ବେନ୍ଦ୍ରା ଗ୍ରାମସବୁ ତଥା ଅଂଚଳବାସୀ ଶୋକ ସନ୍ତପ୍ତ ହୋଇଯାଇଛନ୍ତି । ମହନ୍ତଙ୍କ ଶେଷ ଦର୍ଷନ ପାଇଁ ବେନ୍ଦ୍ରା ଗ୍ରାମର ଆବାଳ ବୃଦ୍ଧ ବନିତାଙ୍କ ସହ ବହୁ ଦୂରଦୂରାନ୍ତରରୁ ସାଧକମାନଙ୍କ ମଠକୁ ଆଗମନ ହୋଇଥିଲା । ଆଗଲପୁର ମଠାଧିସ, ଖୁଣ୍ଟିଲିମୁଣ୍ଡା ମଠାଧିସ, ଝାଙ୍କରପାଲି ମଠାଧିସ ଆଦି ଅନେକ ସାଧୁସନ୍ଥ ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରକାଶ ଯୋଗ୍ୟ ଯେ, ମହନ୍ତ ବାସୁଦେବ ଦାସ ମହାରାଜ ଆବାଳ ବ୍ରହ୍ମଚାରୀ ଥିଲେ । ତାଙ୍କୁ ବେନ୍ଦ୍ରା ରଘୁନାଥ ମଠର ପୂର୍ବ ମହନ୍ତ ଶ୍ରୀ ଶ୍ରୀ ତ୍ରିବେଣୀ ଦାସ ମହାରାଜ ୧୯୫୨ ମସିହାରେ ୧୨ ବର୍ଷ ବୟସରେ କୁଟାସିଂହା ନିକଟସ୍ଥ ତେନ୍ତୁଳି ଗ୍ରାମରୁ ଆଣି ନିଜ ପାଖରେ ରଖି ମଠରେ ନିଜେ ପାଠପଢାଇ ପରବର୍ତ୍ତୀ ସମୟରେ ସନ୍ୟାସି ଦିକ୍ଷାରେ ଦିକ୍ଷିତ କରିଥିଲେ । ତ୍ରିବେଣୀ ଦାସ ମହାରାଜଙ୍କ ଦେହାନ୍ତ ପରେ ୧୯୬୩ ମସିହାରେ ବାସୁଦେବ ଦାସ ମହାରାଜ ମଠର ମହନ୍ତ ହୋଇଥିଲେ । ତାଙ୍କ ଜୀବନକୁ ସଂପୂର୍ଣ୍ଣ ରୂପେ ଭଗବାନଙ୍କ ସେବାରେ ସମର୍ପଣ କରି ଦେଇଥିଲେ । ତାଙ୍କର ଅନ୍ତିମ ଯାତ୍ରାରେ ବେନ୍ଦ୍ରା ଗ୍ରାମବାସୀ ତଥା ଆଖପାଖ ଅଞ୍ଚଳର ବହୁସଂଖ୍ୟକ ଭକ୍ତ, ସାଧୁସନ୍ଥ କିର୍ତନ କରି ବେନ୍ଦ୍ରା ଗ୍ରାମସାରା ପରିକ୍ରମା କରି ମହାପ୍ରଭୁ ରଘୁନାଥ ମନ୍ଦିର ନାମରେ ଥିବା ଜମିରେ ତାଙ୍କର ଶେଷକୃତ୍ୟ ସାଧୁ ରୀତିନୀତି ଅନୁଯାୟୀ ସମାପନ ହୋଇଯାଇଛି । ଆସନ୍ତା ତାରିଖ ୨-୯-୨୩ରେ ବେନ୍ଦ୍ରା ରଘୁନାଥ ମଠରେ ତାଙ୍କର ଶ୍ରାଦ୍ଧ ଉତ୍ସବ ବହୁ ଆଡମ୍ବରରେ କରାଯିବ ବୋଲି ବେନ୍ଦ୍ରା ଗ୍ରମବାସୀ ତଥା ତାଙ୍କ ଶିଷ୍ୟମାନଙ୍କଠାରୁ ପ୍ରକାଶ ।