ନବୋଦୟ ବିଦ୍ୟାଳୟର ଶିକ୍ଷକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନପଡା ନିବାସୀ ତଥା ଛତିଶଗଡ଼ର ଜଗଦଲପୁରଠାରେ କାର୍ଯ୍ୟରତ ନବୋଦୟ ବିଦ୍ୟାଳୟର ଓଡିଆ ଶିକ୍ଷକ ହେମନ୍ତ କୁମାର ଜେନାଙ୍କ ମାତ୍ର ୫୭ ବର୍ଷ ବୟସରେ ଗତ ୨୪ ତାରିଖରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଜେନା ଅଞ୍ଚଳ ମହାବିଦ୍ୟାଳୟରୁ ଓଡିଆ ସମ୍ମାନରେ ସଫଳତାର ସହିତ କୃତିତ୍ୱ ହାସଲ କରି କିଛି ବର୍ଷ ପଦ୍ମପୁର ଟାଉନ ହାଇସ୍କୁଲରେ ଓଡିଆ ଶିକ୍ଷକ ଭାବେ ଚାକିରି କରିଥିଲେ । ୧୯୯୧ ମସିହାରୁ ସେ ନବୋଦୟ ବିଦ୍ୟାଳୟରେ ଚାକିରି ପାଇ ଦେଶର ବିଭିନ୍ନ ରାଜ୍ୟରେ ଜଣେ ଓଡ଼ିଆ ଶିକ୍ଷକ ଭାବେ ବେଶ ପରିଚିତ ଥିଲେ । ପଦ୍ମପୁରର ଅଗ୍ରଣୀ ନାଟ୍ୟ ସଂସ୍ଥା ‘ଅସର୍ଣ୍ଣଗୁଁଡା’ ଓ ସାହିତ୍ୟ ଅନୁଷ୍ଠାନ ‘ଆଗାମୀ’ ସହିତ ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଯୋଡି ହୋଇ ରହିଥିଲେ । ସେ ଖୁସି ମିଜାଜ ତଥା ଓଡିଆ ଭାଷା ସାହିତ୍ୟର ଜ୍ଞାନୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କର ଶବ ପଦ୍ମପୁର ପହଞ୍ଚବା ପରେ ତାଙ୍କର ବ୍ରାହ୍ମଣୀବନ୍ଦ ନିକଟସ୍ଥ ବାସଭବନରେ ଅନେକ ବ୍ୟକ୍ତି ଆସି ଶେଷ ଦର୍ଶନ କରିଥିଲେ । ସେ ତାଙ୍କ ପଛରେ ବିଧବା ପତ୍ନୀ, ଏକମାତ୍ର କନ୍ୟା ଓ ଆତ୍ମୀୟ ବର୍ଗକୁ ଛାଡି ଚାଲି ଯାଇଛନ୍ତି । ସ୍ଥାନୀୟ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ଏକ ଶୋକାକୂଳ ପରିବେଶ ଭିତରେ ଅନୁଷ୍ଠିତ ହୋଇଥିଲା । ତାଙ୍କର ସାନଭାଇ ପ୍ରଶାନ୍ତ ଜେନା ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.