ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ପୂର୍ବତନ ବିଧାୟକ ତଥା ଶିକ୍ଷକ ନେତା ଆଦିକନ୍ଦ ସେଠୀଙ୍କ ନିଜସ୍ୱ ବାସଭବନ ରମ୍ଭାଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ଗୁରୁବାର ପ୍ରତ୍ୟୁଷରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଅଧିକ ଯନ୍ତ୍ରଣା ହୋଇଥିବାରୁ ତାଙ୍କୁ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ, ଦୁଇପୁଅ ଓ ଜଣେ ଝିଅ ଥିଲେ । ପ୍ରକାଶ ଥାଉକି, ତାଙ୍କର ପ୍ରକୃତ ଜନ୍ମସ୍ଥାନ ଓ ପୈତୃକ ଘର ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍ ପାରିକୁଦ ଅଞ୍ଚଳ ବୋଲି ଜଣାଯାଇଛି । ଏହି ଗ୍ରାମରେ ତାଙ୍କର ବାଲ୍ୟଶିକ୍ଷା ଓ ଉଚ୍ଚଶିକ୍ଷା ଲାଭ କରିବା ପରେ ବହୁକଷ୍ଟରେ ସେ ସରକାରୀ ଶିକ୍ଷକ ଚାକିରି ପାଇଥିଲେ । ସେତେବେଳକୁ ସେ କମ୍ୟୁନିଷ୍ଟ ପାର୍ଟିର ତୁଙ୍ଗନେତା ସାଥୀ ବିଶ୍ୱନାଥ ସାହୁଙ୍କ ପ୍ରେରଣା ଓ ଅନୁଗାମୀ ହୋଇସାରିଥିଲେ । ଶିକ୍ଷକତା ଚାକିରି କରିବା ଭିତ୍ତିରେ ସେ କମ୍ୟୁନିଷ୍ଟ ପ୍ରାର୍ଥୀର ଆଦର୍ଶ ଚିନ୍ତାଧାରା ତାଙ୍କୁ ପ୍ରେରିତ କରିଥିଲା । ୧୯୭୭ ଆଡକୁ ସେ ରମ୍ଭା ପାନ୍ଥନିବାସ ନିକଟ ରାଣୀବଙ୍ଗଳା ନିକଟରେ ନିଜସ୍ୱ ବାସଭବନ କରି ଗଞ୍ଜାମ ଜିଲ୍ଲା ସହିତ ଓତଃପ୍ରୋତ ଭାବେ ଜଡ଼ିତ ହେଲେ । ଶିକ୍ଷକତା ଚାକିରିରେ ସେ ଓଡ଼ିଶା ଶିକ୍ଷକ ମହାସଂଘରେ ସାମିଲ ହୋଇ ଶିକ୍ଷକନେତା ଭାବେ ସେ ପରିଚିତ ଥିଲେ । ଶିକ୍ଷକତାରୁ ସେ ଅବସର ନେବା ପରେ ସେ ୨୦୦୯ରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଆସନରୁ ସିପିଆଇରୁ ଟିକଟ ପାଇ ବିପୁଳ ଭୋଟରେ ବିଜୟ ଲାଭ କରି ଓଡ଼ିଶା ବିଧାନସଭାର ସଦସ୍ୟ ହୋଇପାରିଥିଲେ । ସେ ୨୦୦୯ରୁ ୨୦୧୪ ମଧ୍ୟରେ ଆଦିକନ୍ଦ ବାବୁ ଛତ୍ରପୁର ବିଧାୟକ ଥିଲେ । ବିଧାନସଭାର ପାଞ୍ଚବର୍ଷ ପରେ ସେ ବିଜୁଜନତା ଦଳର ସଂସ୍ପର୍ଶରେ ଆସି ବିଜେଡ଼ିରେ ସାମିଲ ହୋଇଥିଲେ । ସେ ଜଣେ ସରଳ ନିଷ୍ଠାପରତା, କର୍ତ୍ତବ୍ୟନିଷ୍ଠା ଭାବେ ଜନସେବାରେ ଜୀବନ ବିତାଇଥିଲେ । ତାଙ୍କ ବିୟୋଗରେ କମ୍ୟୁନିଷ୍ଟ ନେତା ଏନ୍. ନାରାୟଣ ରେଡ୍ଡୀ, ପ୍ରକାଶ ଚନ୍ଦ୍ର ପାତ୍ର, ନୀଳକଣ୍ଠ ଦାସ, ସାଲା କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ବହୁ ନେତ୍ତୃବର୍ଗ ଗଭୀର ଶୋକପ୍ରକାଶ କରିଥିଲେ । ସମଗ୍ର ଗଞ୍ଜାମ ଜିଲ୍ଲାର ବିଜେଡି ଦଳର ବହୁ ନେତ୍ତୃବର୍ଗଙ୍କ ପକ୍ଷରୁ ତାହାଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
Prev Post