oum

ବିଶିଷ୍ଟ ସମାଜସେବୀ ମଗନଲାଲ ଜୈନଙ୍କ ପରଲୋକ

jsm

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ନିବାସୀ ବିଶିଷ୍ଟ ସମାଜସେବୀ ମଗନଲାଲ ଜୈନ(୮୫)ଙ୍କର ଆଜି ପରଲୋକ ହୋଇଯାଇଛି । ସେ ଅସୁସ୍ଥତା ଅନୁଭବ କରିବାରୁ ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ରାୟପୁରକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ଦେହାନ୍ତ ହୋଇଥିଲା । ଆଜି ତାଙ୍କ ପାର୍ଥବ ଶରୀର ରିଷିଡା ସ୍ଥିତ ବାସ ଭବନରେ ପହଞ୍ଚିବା ପରେ ଅନେକ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ଶବଦାହ କରାଯାଇଥିଲା । ବଡପୁଅ ବିଶିଷ୍ଟ ବ୍ୟବସାୟୀ ସୁରେଶ ଚନ୍ଦ୍ର ଜୈନ ମୁଖାଗ୍ନୀ ଦେଇଥିଲେ । ଶବାଧାରରେ ତାଙ୍କ ତିନିପୁଅ ସୁରେଶ, ମିନୁ, ସନ୍ତୋଷ, ଭାଇ ରାଜକିଶୋର, ଏକମାତ୍ର ଝିଅ ସମେତ ଭାଇ, ଭଉଣୀ, ନାତି, ନାତୁଣୀ, ପୂତୁରା, ଝିଆରୀ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ଭୂପିନ୍ଦ୍ର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଗଭୀର ଶୋକପ୍ରକାଶ କରିଛନ୍ତି । ସେହିପରି କର୍ଲାମୁଣ୍ଡା ପ୍ରେସ୍‌ କ୍ଲବ, ରିଷିଡା ଗ୍ରାମ ଉନ୍ନୟନ କମିଟି ସମେତ ରିଷିଡା ସ୍ଥିତ ସମସ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଶୋକପ୍ରକାଶ କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଛି । ପ୍ରକାଶ ଥାଉକି ସ୍ୱର୍ଗତ ଜୈନ ରିଷିଡା ବାପୁଜୀ ହାଇସ୍କୁଲର ପ୍ରତିଷ୍ଠାତା ସଂପାଦକ, ରିଷିଡା ମଧ୍ୟ ଇଂରାଜୀ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଜେକେ କଲେଜ, ଜେଡି କଲେଜର ପ୍ରତିଷ୍ଠାତା ସଭ୍ୟ ଥିଲେ । ସେ ଦୀର୍ଘ ବର୍ଷ ଧରି ରିଷିଡା ଦୁର୍ଗାପୂଜାର ମଧ୍ୟ ସଭାପତି ଥିଲେ । ସେ ବାପୁଜୀ ହାଇସ୍କୁଲ ପ୍ରତିଷ୍ଠା ପାଇଁ ୧୭ ଏକର ଜମି ଓ ରିଷିଡା ଡାକ୍ତରଖାନା ପାଇଁ ଦେଢଏକର ଜମିଦାନ କରିଥିଲେ । ପ୍ରକୃତରେ ସେ ବ୍ୟକ୍ତି ନୁହେଁ ଏକ ଅନୁଷ୍ଠାନ ଥିଲେ ବୋଲି ସାଧାରଣରେ ଆଲୋଚନା ହେଉଛି । ତାଙ୍କ ବିୟୋଗରେ ରିଷିଡା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.