
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ବିକଳ୍ପ ବିବାଦ ସମାଧାନ କେନ୍ଦ୍ର, ସୁବର୍ଣ୍ଣପୁରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସହାୟକ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୁମୁଦିନୀ ମୁଦୁଲି ପୌରାହିତ୍ୟ କରି ନ୍ୟାୟିକ ବ୍ୟବସ୍ଥା, ନ୍ୟାୟ ସୁବିଧା, ପୋକ୍ସୋ ଆଇନ, (ଜେଭିଭି) ଜୁଭେନାଲ ଜଷ୍ଟିସ ବୋର୍ଡ ଇତ୍ୟାଦିର କାର୍ଯ୍ୟକାରିତାକୁ ପ୍ରାଞ୍ଜଳ ଭାବେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସଂସାଧନ ଅଧିକାରୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭାଗୀୟ କଲ୍ୟାଣକାରୀ ଯୋଜନା ଓ ସେଗୁଡିକର କାର୍ଯ୍ୟକାରିତା ବିଷୟରେ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ବାର୍ଦ୍ଧ୍ୟକ ଭତ୍ତା, ଦିବ୍ୟାଙ୍ଗ ସହାୟତା ଯୋଜନା ତଥା ଅନ୍ୟ ସାମାଜିକ ସୁରକ୍ଷା ଯୋଜନା ସହ ଆବଶ୍ୟକ ଯୋଗ୍ୟତା ଇତ୍ୟାଦି ବିଷୟରେ ଅଲୋଚନା କରିଥିଲେ । ଆଞ୍ଚଳିକ ଶ୍ରମ ଆଯୁକ୍ତ ଡିଲେଶ୍ୱର ଖାଖା ଅନୌପଚାରିକ ଶ୍ରମିକଙ୍କ ପାଇଁ ଲାଭଜନକ ଯୋଜନା, ନିମ୍ନ ଆୟ ଶ୍ରେଣୀ ପାଇଁ ଶ୍ରମ ସମ୍ବନ୍ଧୀୟ ସୁବିଧା ଓ ଶ୍ରମ ଆଇନ ଉପରେ ତାଲିମ ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଆଇନ ପରାମର୍ଶଦାତା କେଶବ ଚନ୍ଦ୍ର ମେହେର, ପାରିବାରିକ ଘରୋଇ ହିଂସା, ମହିଳା ଓ ଶିଶୁ ସୁରକ୍ଷା ନିର୍ଯ୍ୟାତନା ସହ ଯୋଜନା ଓ ନ୍ୟାୟିକ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଏହି ତାଲିମ ଦ୍ୱାରା ସ୍ୱେଚ୍ଛାସେବୀମାନେ ନାଗରିକଙ୍କ ମଧ୍ୟରେ ଆଇନ ଓ ସରକାରୀ ସେବା ପ୍ରତି ସଚେତନତା ବଢ଼ାଇବା ସହ ଅଞ୍ଚଳରେ ନ୍ୟାୟ ସୁବିଧା ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଜନସାଧାରଣଙ୍କୁ ସାମାଜିକ, ନ୍ୟାୟିକ ତଥା ବୌଦ୍ଧିକ ଦିଗ ପ୍ରତି ସଚେତନତା ପ୍ରଦାନ ପୂର୍ବକ ଏକ ସୁସ୍ଥ ସମାଜ ଗଠନରେ ସମାଜ ଓ ସରକାରୀ ବିଧି ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ପୂର୍ବକ କାର୍ଯ୍ୟ କରିପାରିବେ ।