ବନାରସ-ଲାଚୁଟ ଗାଁରେ ପାଣି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରତ୍ୟେକ ଲୋକଙ୍କ ଘରେ ଘରେ ଜଳ ଯୋଗାଣ କରାଯାଉ ଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ଲାଚୁଟ-ବନାରସ ଗ୍ରାମରେ ଦୀର୍ଘ ବର୍ଷ ହେଲାଣି ଲୋକେ ଦୂଷିତ ପାଣି ବ୍ୟବହାର କରୁଥିବା ବେଳେ ସ୍ଥାନୀୟ ନଦୀରୁ ପାଣି ସଂଗ୍ରହ କରି ପିଉଛନ୍ତି । ଯାହା ଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନର ଅବହେଳା ଯୋଗୁଁ ଲୋକେ ଦୂଷିତ ପାଣି ପିଉଥିବା ବେଳେ ଏନେଇ ଅନେକ ଥର ସଇଁନ୍ତଲା ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ସାହୁ ସ୍ଥାନୀୟ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଠାରେ ମଧ୍ୟ ଅଭିଯୋଗ କରିଥିଲେ । ହେଲେ କେହି ତାଙ୍କ କଥା ଶୁଣିବା ପାଇଁ ନାରାଜ । ତେବେ ଆଜି ଶେଷରେ ବାଧ୍ୟ ହୋଇ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଅଭିଯୋଗ କରିଛନ୍ତି ଜିଲ୍ଲାପରିଷଦ ସଭ୍ୟା ସରୋଜିନୀ ସାହୁ । ଏନେଇ ଜିଲ୍ଲାପାଳ ଶ୍ରୀ ରାଣା ପ୍ରତିଶ୍ରୁତି ଦେଇଛନ୍ତି ଯେ, ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବି ବୋଲି କହିଛନ୍ତି । ତେବେ ଯଦି ଆଗାମୀ ଦିନରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମର ଶତାଧିକ ଲୋକେ ଆନ୍ଦୋଳନ କରିବେ ବୋଲି ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସାହୁ ମଧ୍ୟ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.