om academy

ଏପ୍ରିଲ ମାସର ଖରା ଉପରେ ପିଇବାର ପାଣିର ଅଭାବ

jsm

ଦେଓଗାଁ, (ମନୀଷ କୁମାର ସାହୁ) : କେବଳ ମଣିଷ ପାଇଁ ନୁହେଁ ସମସ୍ତ ଗୃହ ପଳିତ ପଶୁ, ବନ୍ୟଜନ୍ତୁ ସହ ସମସ୍ତ ପଶୁ ପକ୍ଷୀମାନେ ମଧ୍ୟ ପାନୀୟ ଜଳ ପାଇବାର ମୌଳିକ ଅଧିକାର ଅଛି । ଏହି ସୁବିଧା ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦେବାର ସରକାରଙ୍କ ପ୍ରଧାନ କର୍ତ୍ତବ୍ୟ । ହେଲେ ପଶୁ ପକ୍ଷୀ କଥା ପଚାରେ କିଏ ସାଧାରଣ ଲୋକମାନେ ଶୁଦ୍ଧପାନୀୟ ଜଳ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଏପ୍ରିଲ ମାସର ଖରା ସାଙ୍ଗକୁ ପାନୀୟ ଜଳର ଉତ୍କଟ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକରେ । ଦେଓଗାଁ ବ୍ଲକରେ ପାନୀୟ ଜଳ ସମସ୍ୟାକୁ ନେଇ ଅନୁଧ୍ୟାନ କରାଯିବାରୁ ଜଣାପଡ଼ିଛି ଯେ, ଦେଓଗାଁ ବ୍ଲକର ୧୨୯ଟି ଗାଁ ଓ ୧୫୧ଟି ପଡ଼ା ମୋଟ ୨୮୦ଟି ପଡ଼ା ଓ ଗାଁରେ ଥିବା ୨୪,୭୫୭ଟି ପରିବାର ତଥା ୯୭ହଜାର ୯୪୫ଜଣଙ୍କୁ ୧୫୦୪ଟି ନଳକୂପ, ୧୬ଟି ସୋଲାର ବୋରୱେଲ ଓ ୬୧ଟି ନଳ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଦେଓଗାଁ ବ୍ଲକର ପାନୀୟ ଜଳ ଯୋଗାଣ ବିଭ‌ାଗର କନିଷ୍ଠ ଯନ୍ତ୍ରୀଙ୍କୁ ବଲାଙ୍ଗିର ସଦର ବ୍ଲକକୁ ବଦଳି କରି ସେଠାରେ ରହି ଦେଓଗାଁ ବ୍ଲକ ଦାୟିତ୍ବରେ ରଖାଯାଇଥିବାରୁ ଦେଓଗାଁ ବ୍ଲକ ଜିଲ୍ଲା ପ୍ରଶାସନର ସାବତ ପୁଅ ବୋଲି ସାଧାରଣରେ ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଲକର ୧୦ଟି ପଞ୍ଚାୟତ ଯଥା ଦେଷଣ୍ଢ, ବନ୍ଧପଡ଼ା, ଧଣ୍ଡାମାଳ ସାରସମାଲ, ବଡ଼ବନ୍ଧ, ସିକୁଆଁ କୁତୁର୍ଲା, ଦେଓଗାଁ, ହାତୀସରା, ସାଲେପାଲି ପଞ୍ଚାୟତର ୫୫ଟି ଗାଁ ସୋନଗଡ ନଦୀରୁ ଓ ୫ଟି ପଞ୍ଚାୟତ ଯଥା ଗୌଡ଼ଗୋଠ, ଘୁଡ଼ଖାପଲା, ବଡ଼ବହାଲ, ଅର୍ଜୁନପୁର କୁଳୁତାପଡ଼ା ପଞ୍ଚାୟତର ୩୫ଟି ଗାଁରେ ତେଲନଦୀରୁ ପାନୀୟ ଜଳ ଯୋଗାଇବାର ସୁବିଧା ଅଛି ହେଲେ ଜଳ ଯୋଗାଣ ବିଭାଗର ଅନ୍ତରିକତାର ଅଭାବ ଯୋଗୁଁ ୧୧ ବର୍ଷ ହେଲା ଗୌଡଗୋଠ ପଞ୍ଚାୟତର ଆମ୍ବଦହନ ଓ ରତାଖଣ୍ଡିକୁ ଜଳ ଯୋଗାଣ ହୋଇ ପାରୁନାହିଁ । ଯଦି ମୋଟ ୨୮୦ଟି ଗାଁ ଓ ପଡ଼ା ମଧ୍ୟରୁ ପ୍ରାୟ ୯୦ଟି ଗାଁ ନଦୀ କୂଳରେ ଥିଲେ ମଧ୍ୟ ଆବଶ୍ରକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଖରାମାସରେ ଅଭିଯୋଗ ଆସିଥାଏ । ତେଣୁ ଲୋକଙ୍କ ମୌଳିକ ଅଧିକାର ଦୃଷ୍ଟିରୁ ପାନୀୟ ଜଳ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.