
ଜୟପାଟଣା, (ଶେଷଦେବ ବେହେରା) : ରବି ଚାଷ ପାଇଁ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ଜଳସେଚନକୁ ଖରିଫ ପାଇଁ ସଂପୂର୍ଣ୍ଣ ବନ୍ଦ ରଖାଯାଇ ଥିବା ବେଳେ ଶୁକ୍ରବାର ପୂର୍ବାହ୍ନ ୯ଟା ବେଳେ ସଂପୃକ୍ତ କେନାଲରେ ଜୀବଜନ୍ତୁ ଓ ମଣିଷଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ୭.୫ କୁମେକ ପାଣି ଛଡ଼ା ଯାଇଥିବା ସୂଚନା ମିଳିଛି । ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ୮୮ଟି ରାଜସ୍ୱ ଗ୍ରାମର ୨୫, ୨୭୫ହେକ୍ଟର ଜମିରେ ଖରିଫ ସମୟରେ ଚାଷକୁ ସୁରକ୍ଷିତ ରଖିବା ପାଇଁ ଜଳ ସେଚନ ଦିଆଯାଇଥାଏ । ସ୍ଥାନୀୟ ଲୋକଙ୍କ ବ୍ୟବହାର ଓ ପଶୁପକ୍ଷୀଙ୍କ ନିତ୍ୟ ବ୍ୟବହାର ପାଇଁ ଏହି ପଦକ୍ଷେପ ନିଆଯାଇଥିବା ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ପ୍ରକାଶ କରିଛନ୍ତି । ଫଳ ସ୍ୱରୂପ ଉକ୍ତ କେନାଲରେ ଗ୍ରୀଷ୍ମ ପ୍ରବାହ ସମୟରେ ଏକ ଫୁଟ ପାଣି ରହିବ ବୋଲି ସୂଚନା ମିଳିଛି ।