ଭୁବନେଶ୍ୱର : ଆଜି ଓଡିଶା ଚିତ୍ରକଳା ଜଗତ ପାଇଁ ଏକ ଦୁଃଖଦ ଦିବସ, ପଞ୍ଚମହାଭୂତରେ ଲୀନ ହେଲେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର । ସ୍ୱାଧୀନତା ପୂର୍ବ ୧୯୪୦ରେ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରନ୍ତି ଓ ହାଇସ୍କୁଲ ଶିକ୍ଷା ଗ୍ରହଣ ପରେ ସରକାରୀ କାର୍ଯ୍ୟରେ ଯୋଗଦାନ କରନ୍ତି, କିନ୍ତୁ ନିଜ ଭିତରେ ଥିବା ଚିତ୍ରକର ତାଙ୍କୁ ସରକାରୀ ଚାକିରିରେ ବାନ୍ଧି ରଖିପାରେ ନାହିଁ ଓ ସରକାରୀ ଚାକିରିର ମୋହ ଭଙ୍ଗ କରି ଚିତ୍ରକଳା ଶିକ୍ଷା ଗ୍ରହଣ ପାଇଁ ଚାଲି ଯାଆନ୍ତି ସୁଦୂର ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ ଶାନ୍ତି ନିକେତନ ଓ ଶିକ୍ଷାଲାଭ ପରେ ନିଜ ମାଟିକୁ ଫେରି ଆସି ଗଙ୍ଗାଧର ମହାବିଦ୍ୟାଳୟ ସମ୍ବଲପୁରରେ ଉଦ୍ଭିଦ ବିଜ୍ଞାନ ବିଭାଗରେ ଚିତ୍ରଶିଳ୍ପୀ ଭାବେ ଯୋଗଦାନ କରନ୍ତି । କର୍ମମୟ ଜୀବନର କିଛି ସମୟ ଅତବାହିତ ପରେ ନିଜ ଭିତର ଚିତ୍ରଶିଳ୍ପୀ ତାଙ୍କୁ ଆନ୍ଦୋଳିତ କରେ ଓ ଗଢି ଉଠେ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ “ଚିତ୍ରଭୂମି”। ଚିତ୍ରଭୂମିର ପତିଷ୍ଠାତା ଶ୍ରୀ ମିଶ୍ରଙ୍କ ଦ୍ଵାରା ଅନେକ ପ୍ରତିଭା ତାଙ୍କ ଶିଖରରେ ପହଞ୍ଚି ପାରିଛନ୍ତି । ବିଭିନ୍ନ ସମୟ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀ ଯଥା ୟୁଥ୍ ଫୋରମ୍, ଭୂମିକା ବଲାଙ୍ଗିର, ରୋଟରି ସମ୍ବଲପୁର ଓ ଆହୁରି ଅନେକ ଯଥା ସୂଚନା ଭବନରେ ତାଙ୍କ ଏକକ ପ୍ରଦର୍ଶନୀ “ଅନ୍ଧାର ଆଲୁଅ”, “ମଧୁଶାଳା” ବହୁ ଲୋକ ଆଦୃତ । ଶ୍ରୀ ମିଶ୍ର କେବଳ ଯେ, ଜଣେ ଚିତ୍ରଶିଳ୍ପୀ ନଥିଲେ ସେ ତବଲା ବାଦନରେ ସ୍ନାତକୋତ୍ତର ମଧ୍ୟ ଥିଲେ । ବହୁ ବର୍ଷ ଧରି ନିଜ ଏକମାତ୍ର ପୁତ୍ର ସିଦ୍ଧାର୍ଥଙ୍କ ସହ ଭୁବନେଶ୍ୱରରେ ରହୁଥିଲେ ଓ ଏକ ଛୋଟ ଦୁର୍ଘଟଣାରେ ଆହତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ଆଜି ୮୩ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି, ମୃତ୍ୟୁ ଶଯ୍ୟା ନିକଟରେ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ଏକ ମାତ୍ର ପୁତ୍ର ସିଦ୍ଧାର୍ଥ ମୁଖାଗ୍ନୀ ଦେଇଥିଲେ । ଚିତ୍ରକଳା ଜଗତରେ ଏକ ଯୁଗର ଅବସାନ ଘଟିଛି ବୋଲି ଚର୍ଚ୍ଚା ହେଉଛି ।