
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଏସ୍ଏମ୍ଇ ବିଭାଗ, ରେଡକ୍ରସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓର୍ମାସ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ବିଭାଗର ପୂର୍ଣ୍ଣ ସହଯୋଗରେ ଜିଲ୍ଲାର ଅଗ୍ରଣୀ ଉତ୍ପାଦକ କମ୍ପାନୀ “ସୁବର୍ଣ୍ଣଶ୍ରୀ” ସୋନପୁର ନୂତନ ଟାଉନ ହଲଠାରେ ବିଶ୍ୱ ସେରିବ୍ରାଲ ପାଲସି ଡେ ୨୦୨୨ ପାଳନ କରିଛି । ଉକ୍ତ ଅବସରରେ “ସୁଗମ ସହଜ” ନାମରେ ଏକ ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି, ଯାହା ମାଧ୍ୟମରେ ଜିଲ୍ଲା ସ୍ତରରେ ଯେତେ ସିପିରେ ପୀଡିତ ଶିଶୁ ମାନଙ୍କୁ ବର୍ଷ ତମାମ ଅତ୍ୟାଧୁନିକ ୟୁନିଫର୍ମ ଯୋଗାଇ ଦିଆଯିବ । ଉକ୍ତ ଅବସରରେ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ମହୋଦୟ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିବା ସହିତ ଜିଲ୍ଲା ପ୍ରଶାସନର ସମାଜ ପ୍ରତି ଉଦାରତା ଏବଂ ଅଭିନବ ପଦକ୍ଷେପ ସବୁ ପାଇଁ ପ୍ରଶଂସା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ (ଆଇଏଏସ୍) ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟପ୍ରକଳ୍ପର ଉପାଦେୟତା ଓ ଆବଶ୍ୟକତା ଉପରେ କହିବା ସହିତ ପ୍ରଶାସନିକ ବିଭାଗ ସବୁର ମିଳିତ ଉଦ୍ୟମରେ ହୋଇଥିବା ଉକ୍ତ ପ୍ରୟାସ ପାଇଁ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଉପ ଜିଲ୍ଲାପାଳ ଡ଼. ଈପସିତା ପ୍ରିୟଦର୍ଶନୀ ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସୋନପୁର ଏବଂ ଡୁଙ୍ଗୁରିପାଲି, ବିନିକା, ଉଲୁଣ୍ଡା, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ, ସାମାଜିକ ସୁରକ୍ଷା ଅଧିକାରୀ, ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ମୁଖ୍ୟ ଚିକିତ୍ସା ଅଧିକାରୀ, ମୁଖ୍ୟ ଶିକ୍ଷାଧିଶ ସୁବର୍ଣ୍ଣପୁର, ଜିଲ୍ଲା ଓରମାସ ଅଧିକାରୀ ଯୁବରାଜ ସାହୁ ତଥା ସୁବର୍ଣ୍ଣାଶ୍ରୀର ମେନେଜିଙ୍ଗ ଡ଼ାଇରେକ୍ଟର ଏବଂ ବୋର୍ଡ ସଭ୍ୟା ମାନେ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ବଳିଷ୍ଟ ଉଦ୍ୟମ ତଥା ସହଯୋଗରେ ଉକ୍ତ ଆୟୋଜନଟି ସଫଳ ହୋଇ ପାରିଛି । ସେରିବ୍ରାଲ ପାଲସି ଏକ ଅଭିଶପ୍ତ ରୋଗ ଯାହା ଦ୍ୱାରା ଶିଶୁର ମାନସିକ ବିକାଶ ହୁଏ ନାହିଁ, ସେମାନେ ଭ୍ରମ୍ୟମାଣ ଚେୟାର ମାଧ୍ୟମରେ ପରିଚାଳିତ ହୁଅନ୍ତି । ସୁବର୍ଣ୍ଣପୁରରେ ୫୬ ଜଣ ସିପି ଶିଶୁଙ୍କୁ ଚିହ୍ନଟ କଲା ପରେ ଜିଲ୍ଲା ପ୍ରଶାସନ ଓ ନିଫ୍ଟ, ଭୁବନେଶ୍ୱରର ଜଣେ ଡିଜାଇନର ସ୍ରିଷ୍ଟି ସୁମନଙ୍କ ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ଧରଣର ୟୁନିଫର୍ମ ତିଆରି କରିବାରେ ସଫଳ ହେଲେ, ଯାହାକି ଭ୍ରାମ୍ୟମାଣ ଚେୟାରରେ ବସିଥିବା ସମୟରେ ଶିଶୁଙ୍କୁ ପିନ୍ଧା ଯାଇ ପାରିବ । ଉକ୍ତ ଶିଶୁମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣାଶ୍ରୀ ମାଧ୍ୟମରେ ସୁଗମ ସହଜ ନାମକ ଉକ୍ତ ଯୋଜନା ଲାଗୁ ଫଳରେ ଏହା ବର୍ଷ ତମାମ ସିପି ଶିଶୁମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର ୟୁନିଫର୍ମ ସୁଲଭ ଦରରେ ଉପଲବ୍ଧ ହୋଇପାରିବ । ଆଜି ଜିଲ୍ଲାର ସିପି ପୀଡିତଙ୍କୁ ଅତିଥି ବୃନ୍ଦ ଏହି ସ୍ୱତନ୍ତ୍ର ପୋଷାକ ସହ ଖେଳନା ତଥା ରେଡ଼କ୍ରସ ତରଫରୁ କିଟ ପ୍ରଦାନ କରିଥିଲେ ।