ପୁଅ ସହ ମିଶି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଅଧିକାରୀଙ୍କୁ ମହଙ୍ଗା ପଡିଲା : ପାଲଝାର୍ ଫାର୍ମ କୃଷି ଅଧିଦର୍ଶକଙ୍କୁ ମନୁପାଲି ବଦଳି
ବୌଦ୍ଧ, (ବଂଶୀଧର ମାଝୀ) : ପୁଅ ସହିତ ମିଶି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ଜୈନିକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ମହଙ୍ଗା ପଡିଲା । ଏହି ବହୁ ଚର୍ଚ୍ଚିତ ଘଟଣା ପାଇଁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାଲଝାର କୃଷି ଫାର୍ମର କୃଷି ଅଧିଦର୍ଶକ ବାନାମ୍ବର ସାହୁଙ୍କୁ ସେଠାରୁ ବିଦାକରି ବୌଦ୍ଧବ୍ଲକ ମନୁପାଲିକୁ ବଦଳି କରାଯାଇଥିବା ଜଣାପଡିଛି । ଅନ୍ୟପଟେ ତାଙ୍କ ସ୍ଥାନରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କୃଷି ଗ୍ରାମସେବକ ଅଜିତ କୁମାର ପ୍ରଧାନଙ୍କୁ ପାଲଝାର୍ ଫାର୍ମର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ପ୍ରଧାନ ନିଜ ଦାୟିତ୍ୱ ସହିତ ଫାର୍ମ ଦାୟିତ୍ୱ ମଧ୍ୟ ତୁଲାଇବେ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସାରଦା ପ୍ରସାଦ ମିଶ୍ର ନିଜ ଆଦେଶରେ ଉଲ୍ଲେଖ କରିଛନ୍ତି । ପାଲଝାର୍ କୃଷି ଫାର୍ମରେ ଅଧିଦର୍ଶକ ଥିବା କୃଷି ଅଧିକାରୀ ବାନାମ୍ବର ସାହୁଙ୍କ ନାମରେ ଅନେକ ଦୁର୍ନୀତିର ଅଭିଯୋଗ ଆସୁଥିଲା । କିଛିଦିନ ତଳେ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜ ପୁଅ ସହ ମିଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଶ୍ରୀ ସାହୁ କରିଥିବା ଦୁର୍ନୀତିର ତଦନ୍ତ ଓ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ଅନୁଷ୍ଠାନ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଦାବୀ ହୋଇଥିଲା ।