ଭୁବନେଶ୍ୱର, (ପିଆଇବି) : ଆୟକର ବିଭାଗ, ଓଡ଼ିଶା କ୍ଷେତ୍ର ପକ୍ଷରୁ ୧୬୬ତମ ଆୟକର ଦିବସ ଭୁବନେଶ୍ବରର ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାରମିତା ଶତପଥୀ ତ୍ରିପାଠୀ, ଓଡ଼ିଶା କ୍ଷେତ୍ରର ପ୍ରମୁଖ ମୁଖ୍ୟ ଆୟକର କମିଶନର, ଯୋଗ ଦେଇଥିଲେ । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଆୟକର ବିଭାଗର ପ୍ରିନ୍ସିପାଲ ଡାଇରେକ୍ଟର (ପିଡିଆଇଟି ଆଇଏନଭି) ଡ. ସଂଦୀପ ଗୋଏଲ, ପ୍ରିନ୍ସିପାଲ ଚିଫ୍ କମିଶନର ସରୋଜ କୁମାର ମହାପାତ୍ର ଏବଂ ଭୁବନେଶ୍ୱରର ସିଆଇଟି (ପ୍ରଶାସନ ଏବଂ ଟିପିଏସ୍) ଶୋଭନ କୃଷ୍ଣ ସାହୁ ଯୋଗଦେଇଥିଲେ । ଏହି ସମାରୋହ ସ୍ୱେଚ୍ଛାକୃତ ଟିକସ ଅନୁପାଳନ, କରଦାତା ସେବା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଆୟକର ବିଭାଗର ନିରନ୍ତର ପ୍ରତିବଦ୍ଧତାକୁ ରୋଖାଙ୍କିତ କରିଥିଲା । ଭିଡିଓ ଅଭିଭାଷଣରେ, ସିବିଡିଟି ଅଧ୍ୟକ୍ଷ ରବି ଅଗ୍ରୱାଲ ଅଧିକ ସ୍ୱଚ୍ଛତା, ଦକ୍ଷତା, ସରଳୀକରଣ ଏବଂ ଡିଜିଟାଲାଇଜେସନ୍ ଦିଗରେ ଆୟକର ବିଭାଗର ପରିବର୍ତ୍ତନକାରୀ ଯାତ୍ରା ଉପରେ ଆଲୋକପାତ କରିଥିଲେ । ସେ ମଧ୍ୟ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ କରଦାତାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ଏବଂ ଆୟକର ପ୍ରକ୍ରିୟାଗୁଡ଼ିକୁ ଆହୁରି ସରଳ କରିବା ଏବଂ କରଦାତା ସେବାକୁ ବୃଦ୍ଧି କରିବା ପାଇଁ ବିଭାଗର ଦୃଷ୍ଟିକୋଣକୁ ରେଖାଙ୍କିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଶତପଥୀ ତ୍ରିପାଠୀ ବିଭାଗ ଦ୍ୱାରା ଗ୍ରହଣ କରାଯାଉଥିବା ସେବା ଭିତ୍ତିକ ଆଭିମୁଖ୍ୟ ଏବଂ ପରବର୍ତ୍ତୀ ସଫଳତା ମାଇଲଖୁଣ୍ଟ ହାସଲ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମୟୁର ଆର୍ଟ ଗ୍ରୁପ ପକ୍ଷରୁ ଛଉ ନୃତ୍ୟୁ ପ୍ରଦର୍ଶନ କରାଯାଇଥିଲା । ସେହିପରି ଉଲ୍ଲେଖନୀୟ ସେବା ପାଇଁ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ଓଡ଼ିଶାର ବିଭିନ୍ନ ଅଂଚଳର ଡାକ୍ତରମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଏକ ସ୍ବାସ୍ଥ୍ୟ ଶିବିର, ଏକ ଓ୍ବାକାଥନ ଓ ବିଭାଗର କର୍ମଚାରୀଙ୍କ ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
