
କଣ୍ଟାବାଞ୍ଜି, (କେପିଏନ୍ଏସ୍) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ଓ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର କଣ୍ଟାବାଞ୍ଜିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାୟତ୍ରୀ ଶକ୍ତି ପୀଠ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା । ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସଚେତନାଧର୍ମୀ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବିଚିତ୍ରାନନ୍ଦ ସାହୁ, ନିଶାମୁକ୍ତି ଅଭିଯାନର ମୁଖ୍ୟ, ସମ୍ମାନିତ ଅତିଥି ଭାବରେ ଅଜୟ ଅଗ୍ରୱାଲ, ମୋହନ ଲାଲ ଅଗ୍ରୱାଲ, ଗୁଣନିଧି ରାଉତରାୟ ଉପସ୍ଥିତ ଥିଲେ । ମାନସ ରଞ୍ଜନ ଜାଲ ମଞ୍ଚ ପରିଚାଳନା କରିଥିଲେ । ତମାଖୁ ବର୍ଜନ ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା । ସଭାରେ ଉପସ୍ଥିତ ବ୍ୟକ୍ତି ମାନେ ପ୍ଳାକାର୍ଡଧରି ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଝରିଣୀ ଅନୁଷ୍ଠାନର ସଭ୍ୟ ଥମିର ଛତ୍ରିଆ, ବିରଞ୍ଚି ଖର୍ସେଲ, ସୂର୍ଯ୍ୟକାନ୍ତ ରଣା, ଅଞ୍ଜଳି ମାଝୀ, କିଶୋର ବରିହା, ଦେବାନନ୍ଦ ବଏ, ନରେନ୍ଦ୍ର ସୁନା ଓ ଗାୟତ୍ରୀ ପରିବାରର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।