କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମୁଖିଗୁଡା ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ଆନୁକୂଲ୍ୟରେ କଲମପୁର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଉପ ବିଭାଜନ ୨କାର୍ଯ୍ୟାଳୟ ପରିସରରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି । ଅଧିକ୍ଷଣ ଯନ୍ତ୍ରୀ ଇଂ ରାଜକୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥୀ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବାବେଳେ ଦୀପ୍ତି ରଞ୍ଜନ ପ୍ରହରାଜ, ପ୍ରଶାନ୍ତ ପଟ୍ଟଯୋଶୀ, ଶଙ୍କର୍ଷଣ ବେହେରା, ସୁଶାନ୍ତ ରାଉତ, ଅନ୍ତର୍ଯ୍ୟାମୀ ପରିଡା ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ । ଇଂ ଶ୍ରୀ ବେହେରା ସ୍ୱାଗତ ଅଭିଭାଷଣ ଏବଂ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିଥିମାନେ ଇନ୍ଦ୍ରାବତୀ ପ୍ରକଳ୍ପର ଜଳକୁ ସୁପରିଚାଳନା କରି ଚାଷ କାର୍ଯ୍ୟରେ ଲଗାଇବା ପାଇଁ ମତବ୍ୟକ୍ତ କରିଥିଲେ । ଏହି ସମୟରେ ଉଭୟ ଦକ୍ଷିଣ ଓ ବାମ ମୁଖ୍ୟ କେନାଲ ମରାମତି, ଶାଖା କେନାଲ ଗୁଡିକର ମରାମତି, ମଙ୍ଗଳପୁର ବ୍ୟାରେଜର ମରାମତି ସାଙ୍ଗକୁ ହାତୀ ନଦୀର ଉଭୟ ପାର୍ଶ୍ୱରେ ପଥର ବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ କେନାଲ ପାଣି ଛଡ଼ାଯିବା ଏବଂ ବନ୍ଦ କରିବାପାଇଁ ଅତିଥୀ ମାନେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ବେହେରା ତାଙ୍କ ମର୍ମସ୍ପର୍ଶୀ ଅଭିଭାଷଣ ମାଧ୍ୟମରେ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରାରମ୍ଭରୁ ବର୍ତ୍ତମାନ ଯାଏ ଅନୁଭୂତି ପ୍ରକାଶ କରିଥିଲେ । କଳାହାଣ୍ଡିର ଚାଷୀ ମାନେ କିଭଳି ଆର୍ଥିକ ଉନ୍ନତି କରିବେ ସେ ସମ୍ପର୍କରେ ମଧ୍ୟ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦୟାନିଧି ଯୋଶୀ, ଅରବିନ୍ଦ ବାଣୁଆ, ସୋମନାଥ ପାତ୍ରଙ୍କୁ ସଫଳ ଚାଷୀ ଭାବେ ସମ୍ମାନିତ କରାଯାଇଥିଲା । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଇଂ ପ୍ରଣୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବାବେଳେ ଚିତ୍ତରଞ୍ଜନ ଦଳପତି ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ପାଣି ପଞ୍ଚାୟତର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଇନ୍ଦ୍ରାବତୀ ପ୍ରକଳ୍ପର ବିଭାଗୀୟ ଅଧିକାରୀ, ପାଣିପାଞ୍ଚାୟତ କର୍ମକର୍ତ୍ତା ଏବଂ କୃଷକ ମାନଙ୍କ ମଧ୍ୟରେ ସମନ୍ୱୟ ରହିଲେ ଜଳର ସୁପରିଚାଳନା ହୋଇପାରିବ କିନ୍ତୁ ଏହି କାର୍ଯ୍ୟକ୍ରମରେ କେବଳ ମଞ୍ଚାସୀନ ଅତିଥୀ ମାନଙ୍କ ବ୍ୟତୀତ ପାଣି ପଞ୍ଚାୟତ କର୍ମକର୍ତ୍ତା ମାନଙ୍କୁ କହିବା ପାଇଁ ସୁଯୋଗ ଦିଆ ଯାଇ ନଥିବାରୁ କିଛି କର୍ମକର୍ତ୍ତା ଅସନ୍ତୋଷ ବ୍ୟକ୍ତ କରିଥିଲେ ।