ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକ ଅଧିନସ୍ଥ ପରମେଶ୍ୱରୀ ଦୁଗ୍ଧ ଉତ୍ପାଦକ ସମବାୟ ସମିତି କରଡାପାଳ ଠାରେ ସମଲେଶ୍ୱରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ସମ୍ବଲପୁର ତରଫରୁ ଦୁଗ୍ଧ ଚାଷୀମାନଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ସାଧାରଣ ପରିଚାଳକ ଡାକ୍ତର ସରୋଜ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ସାମୁଲର ୫ ଜଣିଆ କ୍ଷେତ୍ର ପରିଦର୍ଶକ ଟିମ୍ ଏକ ଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ପରିଦର୍ଶନ କରି ଅମରପାଲି, କଦଳୀପାଲି, ଖଣ୍ଡହତା କରଡ଼ାପାଳ ଓ ବଡ଼ମାଲ ଆଦି ସମିତି ମାନଙ୍କୁ ପରିଦର୍ଶନ କରି ବିଭିନ୍ନ ଡକ୍ୟୁମେଣ୍ଟରୀ ଫିଲ୍ମ ମାଧ୍ୟମରେ ସଚେତନତା ଶିବିର ଆୟୋଜନ କରିଥିଲେ । ପୁନଶ୍ଚ ସଂଘ ତରଫରୁ ଏକ ଗୋ-ବନ୍ଧ୍ୟା ନିରାକରଣ ଶିବିର ମଧ୍ୟ ଆୟୋଜନ କରାଯାଇ ପ୍ରାୟ ୧୦୦ରୁ ଅଧିକ ଗାଈ ଓ ବାଛୁରୀ ମାନଙ୍କର ମାଗଣାରେ ସ୍ୱାସ୍ଥ୍ୟ ଚିକିତ୍ସା କରାଯାଇଥିଲା । ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟ ୨୦୦ ଜଣ ଦୁଗ୍ଧ ଚାଷୀ ମାନଙ୍କୁ ଗୋପାଳନ ମାଧ୍ୟମରେ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ସୃଷ୍ଟି ସହିତ ନିଜ ନିଜର ଆର୍ଥିକ ଅଭିବୃଦ୍ଧି କରିବାପାଇଁ ବୁଝାଇଥିଲେ । ଏହାଛଡା ଜିଲ୍ଲାରେ ଗୋପାଳନ, ଦୁଗ୍ଧ ଉତ୍ପାଦନକୁ ବ୍ୟାପକ ମାତ୍ରାରେ କରିବା ପାଇଁ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ବ୍ୟାପକ ଘାସଚାଷ ଓ ଦୁଗ୍ଧ ଚାଷୀ ମାନଙ୍କୁ ଗାଈ ଗୁହାଳ ଯୋଗାଇଦେବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୀରମହାରାଜପୁରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କରଡାପାଳ ସମିତିର ୩ ଜଣ ଅଗ୍ରଣୀ ଦୁଗ୍ଧ ଚାଷୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧା, ତହସିଲଦାର ବୀରମହାରାଜପୁର, ସମଲେଶ୍ୱରୀ ଦୁଗ୍ଧ ସଂଘର ସଭାପତି ବିଦ୍ୟାଧର ପ୍ରଧାନ ବୀରମହାରାଜପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡାକ୍ତର ଅଜୟ କୁମାର ସାହୁ, ସୁବଳୟା ପ୍ରାଣୀ ଚିକିତ୍ସକ ଡାକ୍ତର ଆକାଶ କୁମାର ସାହୁ ଓ ସମଲେଶ୍ୱରୀ ଦୁଗ୍ଧ ସଂଘର କର୍ମଚାରୀ ମାନେ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂଘର କନିଷ୍ଠ ପରିଚାଳକ ସଞ୍ଜୀବ କୁମାର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.