ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୬ ସ୍ଥିତ ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳଗୁରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିବାଳା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେ ଓ ସରକାରୀ କୃତି ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନା ସମ୍ମାନିତ ଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ପଣ୍ଡିତ ନୀଳକଣ୍ଠଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ଭାରତୀୟ ସଭ୍ୟତା, ସଂସ୍କୃତି ଓ ଶିକ୍ଷାର ଦୃଢ଼ ପ୍ରବକ୍ତା ଥିଲେ ଏହି ଯଶସ୍ୱୀ ସାହିତ୍ୟ ସାଧକ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ତଥା କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ଦୁବେ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହ ପଣ୍ଡିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସତ୍ୟବାଦୀ ବନବିଦ୍ୟାଳୟର ଅନ୍ୟତମ ଶ୍ରେଷ୍ଠ ବିନ୍ଧାଣି ନୀଳକଣ୍ଠ ଦେଶାତ୍ମବୋଧ ଭାବନାରେ ଉଦବୁଦ୍ଧ ହୋଇ ସେ ଅନେକ ପ୍ରବନ୍ଧ ଲେଖିଛନ୍ତି । ପଣ୍ଡିତଙ୍କ ସାହିତ୍ୟ ସୃଷ୍ଟି ଥିଲା ବହୁମୁଖି । ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀମତୀ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ, ପଣ୍ଡିତ ନୀଳକଣ୍ଠ ପ୍ରଚଣ୍ଡ ସ୍ଵାଭିମାନୀ ଓ ନିରହଂକାରୀ ବ୍ୟକ୍ତିତ୍ୱର ଅଧିକାରୀ । କବିଭାବେ ଅପୂର୍ବ କବିତ୍ଵ ଶକ୍ତି, ପ୍ରବନ୍ଧର ସ୍ରଷ୍ଟା ଭାବେ ବେଶ୍ ପ୍ରାବନ୍ଧିକ ତଥା ବଳିଷ୍ଠ ସମାଲୋଚକ ଭାବେ ସେ ପରିଚିତ ଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ପଣ୍ଡିତଙ୍କୁ ଉତ୍କଳ ଗୁରୁ, ପଦ୍ମଭୂଷଣ ସମ୍ମାନ ଓ ଓଡ଼ିଆ ସାହିତ୍ୟ ଏକାଡ଼େମୀର ସଭାପତି ରୂପେ କରିଥିବା କାର୍ଯ୍ୟ ତାଙ୍କ ରଚିତ ପୁସ୍ତକ ଆର୍ଯ୍ୟ ଜୀବନ, ବିକ୍ରମାଦିତ୍ୟ, ଏକାନ୍ତ କାନନ, କାଳିଦାସ ପ୍ରବନ୍ଧରେ ଦେଶରକ୍ଷା ଆନ୍ଦୋଳନର ବାର୍ତ୍ତା, ନୀତି ଆଦର୍ଶ ମୂଲ୍ୟବୋଧ ଭିତ୍ତିକ ସମାଜ ଗଠନ ପାଇଁ ପ୍ରବନ୍ଧରେ ପ୍ରାବନ୍ଧିକଙ୍କ ଆହ୍ୱାନ, ସର୍ବୋପରି ସଂସ୍କୃତ ଓ ସଂସ୍କୃତି ପ୍ରବନ୍ଧରେ ପାଣ୍ଡିତ୍ୟ ଓ ଚିନ୍ତା ଶକ୍ତିର ସମନ୍ୱୟ ପରିପ୍ରକାଶ ଲାଭ କରିଥିଲା ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଦିତ୍ୟ ଗଞ୍ଜନ ସୁନା, କିରଣ ପଞ୍ଚଭାୟା, ଅମ୍ବିକା ମାଝୀ, ଲିପସିକା ବଡାଇକ ପଣ୍ଡିତଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍‌ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଶିକ୍ଷୟିତ୍ରୀ ସଚଳା କୁମାରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ପାର୍ବତୀ ବେହେରା, ଶିକ୍ଷୟିତ୍ରୀ ଜ୍ୟୋସ୍ନାମୟୀ ରାଉତ, ସୁଜାତା ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.