ଅତାବିରାରେ ‘ଆମ ପରିବାର’ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଆମ ପରିବାର, ଅତାବିରା ତରଫରୁ ଏଥର ୬ବର୍ଷରେ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ-୨୦୨୪ ଖୁବ୍ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ସମଲପୁରୀ ଉଚ୍ଛବ ସାମାଜିକ ଅନୁଷ୍ଠାନ ‘ଆମ ପରିବାର’, ଅତାବିରାର ସଭାପତି ତଥା ମୁଖ୍ୟ ବରିଷ୍ଠ ନିର୍ଭୀକ ସାମ୍ବାଦିକ ନବୀନ କୁମାର ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତାବିରା ତହସିଲଦାର ବ୍ରଜକିଶୋର ସାହୁ, ସମ୍ମାନିତ ଅତିଥି ଭାବେ ଅତାବିରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ପ୍ରଧାନ, ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ୍, ସିଂହପାଲି ସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ପାନିବୁଡୁ ପ୍ରଧାନ ଯୋଗଦେଇ ଥିଲେ । ସର୍ବ ପ୍ରଥମେ ମହାପ୍ରଭୁ ଶ୍ରୀ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ତୈଳ ଫଟୋ ଚିତ୍ରରେ ଧୂପ, ଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମ୍ବଲପୁରୀ ଦିନ୍-୨୦୨୪ ଉଚ୍ଛବ୍ ଆରମ୍ଭ ହୋଇଥିଲା । ଗବେଷକ ଲୋକ ସାହିତ୍ୟ ଲେଖକ ଲରମ୍ଭା ମହା ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡକ୍ଟର ଅଜିତ ନାଥଙ୍କ ପରିଚାଳନାରେ କବି ତଥା ସାମ୍ବାଦିକ ଦୁର୍ଲ୍ଲଭ ଗଡତିଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ନଟରାଜ କଳା ପରିଷଦ ସାଂସ୍କୃତିକ ଦଲ ଅତାବିରାରୁ ତଥା ଅତାବିରା ବ୍ଲକ୍‌ରୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଥିଲେ ଅବସର ପ୍ରାପ୍ତ ଶିକ୍ଷକ କୈଳାସ ମହାରଣା, ଟିଟୁ ଗାମିନା, ପବିତ୍ର ମେହେର, କବି ସଞ୍ଜୁ ପ୍ରଧାନ, ନେତ୍ରା ନନ୍ଦ ଗଡତିଆଙ୍କ ସକ୍ରିୟ ସହଯୋଗ ରହିଥିଲା । ସମ୍ବଲପୁରୀ ଦିନ୍ ଉଚ୍ଛବ ପାଲନକୁ ପ୍ରସଂଶା କରିବା ସହ ସମ୍ବଲପୁରୀ ଦିନ୍‌ରେ ସତ୍ୟନାରାୟଣ ବହିଦାର ଏବଂ ଶ୍ରୀଧର ପ୍ରଧାନଙ୍କର ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରି ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ । ସମଗ୍ର ବିଶ୍ଵରେ କିପରି ଏହି ସମଲପୁରୀ ସଂସ୍କୃତିକୁ କିପରି ପ୍ରଚାର ପ୍ରସାର କରାଯାଇ ପାରିବ ସେ ନେଇ ବିଭିନ୍ନ ପ୍ରକାରର ବିଭିନ୍ନ ସ୍ତରରେ ପ୍ରୟାସ କରାଯାଉଛି ଯାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଚର୍ଚ୍ଚା ହୋଇଥିଲା । ସମ୍ବଲପୁରୀ କବି ଲେଖକମାନେ ଯୋଗଦେଇ ନିଜସ୍ଵ କବିତା ପାଠ କରିଥିଲେ । କବି ମନୋରଞ୍ଜନ ଲୁହା, ଅଧ୍ୟାପକ ଜଗନ୍ନାଥ ସାହୁ, କବି ନମିତା ଦୀପ ଯାଦବ, ସଂଗୀତା ଦୀପ, ସନ୍ତୋଷିନୀ ନାଗ, ସୁରେନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୃତ୍ୟ ସଙ୍ଗୀତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳିତ ବର୍ଷ ବିଶେଷ ଆକର୍ଷଣ ରୂପେ ସମ୍ବଲପୁରୀ ଭଜନ ପ୍ରତିଯୋଗିତା ରଖାଯାଇ ଥିଲା । ଏଥିରେ ଭାଗ ନେଇଥିଲେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ବୟସର ଅତାବିରା ବ୍ଲକର ସମସ୍ତ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ । ପ୍ରଥମ, ଦ୍ୱିତୀୟ, ତୃତୀୟ ଭାବରେ ୩ ଜଣ ଛାତ୍ରୀ ପ୍ରମୁଖଙ୍କୁ ମାନପତ୍ର, କପ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଗ୍ରୁପ୍ ଡେନ୍ସ ସହ ପ୍ରତି ଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଏବଂ କପ୍ ଦେଇ ସମ୍ମାନିତ କରାଯାଇଥିଲା । ଗ୍ରୁପ୍ ଡେନ୍ସରେ ଗୋଡ୍‌ ଭଗା ଜନତା ହାଇସ୍କୁଲ ପ୍ରଥମ, ଡନ୍‌ବସ୍କୋ ଏକାଡେମୀ ଅତାବିରା ଦ୍ୱିତୀୟ, କୁଲୁଣ୍ଡା ହାଇସ୍କୁଲର ଶିବ ଦୀପ, କୁସୁମ ଭୁଏ, ଇପ୍ସାରାଣୀ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ନୃତ୍ୟ ଗୀତ ଏବଂ କବିତା ପାଠୋତ୍ସବରେ କାର୍ଯ୍ୟକ୍ରମଟି ମହକି ଉଠିଥିଲା । ଏହି ଅବସରରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ଗଛ ଟିଏ ଲେଖାଏଁ ପ୍ରଦାନ କରାଯାଇଥିଲା । ସମଲପୁରୀ ଦିନ୍-୨୦୨୪ ଉଚ୍ଛବରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ଥିଲା । ପରି ଶେଷରେ କବି ସଞ୍ଜୁ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.