କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ପାନପୋଷ ବିଦ୍ୟୁତ୍‌ କଲୋନୀ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସିଲା ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ କର୍ମବୀରଙ୍କ ଜୀବନୀ ଓ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ଗୌରୀଶଙ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡିଆ ଅସ୍ମିତା ପାଇଁ ଓଡ଼ିଶା ଇତିହାସରେ ଯେଉଁମାନେ ଗଳଦଘର୍ମ ଯୋଦ୍ଧୃତ୍ୱର ସଂଗ୍ରାମୀ ପରିଚୟ ଛାଡି ଯାଇଛନ୍ତି ସେମାନଙ୍କ ମଧ୍ୟରେ ଗୌରୀଶଙ୍କର ରାୟ ଅନ୍ୟତମ । ସେଥିଲେ ଓଡ଼ିଆ ପ୍ରାଣ, ଓଡିଆ ଭାଷା ପ୍ରତି ମମତାବଦ୍ଧ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ପ୍ରାପ୍ତି ନିମିତ୍ତ ଆକୁଳ ପ୍ରାଣ, ମହାଭାରତୀୟ ଚେତନାସ୍ନାତ ମହାପ୍ରାଣ ଚମତ୍କାର ଚରିତ୍ର । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡିଆ ଭାଷା ସାହିତ୍ୟ ଓ ସାମ୍ବାଦିକତା ଜଗତ ପ୍ରତି କର୍ମବୀର ଗୌରୀଶଙ୍କର ରାୟଙ୍କ ରହିଛି ଅତୁଳନୀୟ ଯୋଗଦାନ । ସବୁବେଳେ କର୍ମରେ ବିଶ୍ୱାସ ଓ ନିଷ୍ଠାପର କର୍ମପାଇଁ ତାଙ୍କୁ କର୍ମବୀର ଆଖ୍ୟା ଦିଆଯାଇଥିଲା । ସେ ଥିଲେ ଏକାଧାରରେ ଜଣେ ନିଷ୍ଠାପର ସମାଜ ସଂସ୍କାରକ, ଦକ୍ଷ ସଂଗଠକ, ଓଡ଼ିଆ ସାମ୍ବାଦିକତାର ଜନକ, ପ୍ରଚଣ୍ଡ ଜାତୀୟତାବାଦୀ ନେତା ତଥା ଶିକ୍ଷା ଓ ସଂସ୍କୃତି ପ୍ରେମୀ ବଳିଷ୍ଠ ସ୍ଵାଭିମାନୀ ବ୍ୟକ୍ତିତ୍ୱ । ସଭାପତିତ୍ୱ ଅଭିଭାଷଣରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ କର୍ମବୀରଙ୍କୁ ଶୃଙ୍ଖଳା, ନିୟମାନୁବର୍ତ୍ତିତା ଓ ଓଡ଼ିଆ ଭାଷା ପ୍ରତି ପ୍ରତିବଦ୍ଧତାର ପ୍ରତୀକ ରୂପେ ଅବହିତ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ବିଣାପାଣୀ ରାୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଛାତ୍ରୀ ସୁଶ୍ରୀ ପ୍ରିୟାଲକ୍ଷ୍ମୀ ପୁରୋହିତ କର୍ମବୀରଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍‌ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁସ୍ତକ ଓ କଲମ ପ୍ରଦାନ କରି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ସଞ୍ଜୁଲତା ଚିନ୍ନରା, ଅମର କୁମାର ସାମଲ ପ୍ରମୁଖ ସହଯୋଗ କରିଥିବାବେଳେ ଅନ୍ୟତମ ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.