jayashree

ଓଡ଼ିଶାର ଜନକ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳିତ 

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ବାଜି ରାଉତ ଶିକ୍ଷା ନିକେତନ ମିଳିତ ଆନୁକୂଲ୍ୟରେ ଇତିହାସ ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନାଟ୍ୟକାର ପ୍ରଫୁଲ୍ଲ କୁମାର ସାମଲ  ଓ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ  ମଧୁବାବୁ ସ୍ୱତନ୍ତ୍ର ଉତ୍କଳ ଗଠନ ତଥା ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଉତ୍ତମ ନାଗରିକ ଜୀବନ ନିର୍ବାହ ସହିତ ଉତ୍କଳ ଜାତୀୟତା ବୋଧ ସୃଷ୍ଟି କରିବା ପାଇଁଁ ସେ ଥିଲେ ସଂକଳ୍ପବଦ୍ଧ । ଓଡ଼ିଆ ଭାଷାଭାଷୀ ଓ ସଂସ୍କୃତି ସମ୍ପନ୍ନ ମଣିଷମାନଙ୍କୁ ସଂଘବଦ୍ଧ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ସ୍ୱପ୍ନ ସେ ଦେଖିଥିଲେ । ମଧୁବାବୁ ଥିଲେ ଧର୍ମ ନିରପେକ୍ଷତାର ବିଶ୍ୱାସୀ ଓ ଉଦାରବାଦୀ । ତାଙ୍କର ଜାତୀୟତାବାଦ ସଂକୀର୍ଣ୍ଣ କିମ୍ବା ମୌଳିକବାଦ ଭିତ୍ତିକ ନୁହେଁ । ସେ ଅନୁଭବ କରିଥିଲେ ଉତ୍କଳ ମାତାର ଉନ୍ନତିରେ ହିଁ ଭାରତ ମାତାର ଉନ୍ନତି । ଯାହାଙ୍କ ପାଇଁ ଆଜି ଓଡ଼ିଶା, ଏକ ଭାଷା ଭିତ୍ତିକ ରାଜ୍ୟ ଭାବେ ପ୍ରତିଷ୍ଠା ହୋଇ ପାରିଛି ବୋଲି ଆମେ ଗର୍ବ ଅନୁଭବ କରୁଛୁ, ବୋଲି ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାପତିତ୍ୱ ଅଭିଭାଷଣରେ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦାଲି ଅତିଥିମାନଙ୍କ ପରିଚୟ ସହ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ହୋଇ ପାରିବ ବୋଲି ମତ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ଇତିଶ୍ରୀ ସାମଲ, ସାଇ ସାଲୋନୀ ମଲ୍ଲିକ, ଶୁଭ୍ରାରାଣୀ କର, ସାଈଶ୍ରୀ ପଣ୍ଡା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜାତୀୟ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ରଖି ମଧୁସୂଦନ ଦାସଙ୍କ କବିତା ଗୁଡ଼ିକ ସୁନ୍ଦର ଭାବରେ ଆବୃତ୍ତି କରିଥିଲେ । ବିଦ୍ୟାଳୟର ଅନ୍ୟତମ ଛାତ୍ରୀ ଦୀପିକା ବିଶ୍ୱାଳ, ଶୁଭ୍ରାରାଣୀ କର, ଇତିକା ବିଶ୍ୱାଳ, ସାଈଶ୍ରୀ ପଣ୍ଡା, ଜ୍ୟୋତି ନାୟକ, ତେଜସ୍ୱିନୀ ବେହେରା ଓଡ଼ିଶାର ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ସୁମଧୁର କଣ୍ଠରେ ଗାନ କରିଥିଲେ । ଓଡ଼ିଶାର ଐତିହ୍ୟ ଓ ସାହିତ୍ୟ ସଂସ୍କୃତି ଉପରେ ହୋଇଥିବା ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ଭାଗନେଇ ସଠିକ୍ ଉତ୍ତର ଦେଇ ପୁରସ୍କାର ଗ୍ରହଣ କରିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ବରିଷ୍ଠ ସହ ଶିକ୍ଷୟିତ୍ରୀ ସୁଜାତା ବାରିକ । ଏହି ସଭାରେ ଶିକ୍ଷକ ବିପିନ ବିହାରୀ ସାମନ୍ତସିଂହାର ଓ ବିମଳ ମନ୍ତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.