oom

ଜୟଦେବଙ୍କ ଜୟନ୍ତୀ ପାଳିତ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୀତଗୋବିନ୍ଦର ରଚୟିତା ମହାନ ଉତ୍କଳୀୟ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଜନ୍ମସ୍ଥାନ ବାଲିଅନ୍ତା ବ୍ଲକ ଅନ୍ତର୍ଗତ କେନ୍ଦୁବିଲ୍ୱଠାରେ ପାଳିତ ହୋଇଯାଇଛି । ଏଥିରେ ଜୟଦେବ ନିର୍ବାଚନ ମଣ୍ତଳୀ ବିଧାୟକ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ କାବ୍ୟ ସୃଷ୍ଟିରେ, ଭାବରେ, ଭାଷାରେ, ତତ୍ତ୍ୱରେ, ଭକ୍ତିରେ ଓ ରସରେ ଜୟଦେବଙ୍କ ଭଳି କେହି କବି ସର୍ଜନ କରିପାରି ନାହାଁନ୍ତି । ଓଡିଆ ଜାତିର ପ୍ରାଣ ପରିଚୟ ବିଶ୍ୱନିୟନ୍ତା ଜଗନ୍ନାଥଙ୍କ ପ୍ରିୟ ହେଉଛି ଗୀତଗୋବିନ୍ଦ । ଓଡିଶାର ଅନେକ ମନ୍ଦିରରେ ଶ୍ରୀ ଗୀତଗୋବିନ୍ଦ ବୋଲାଯିବାର ପରମ୍ପରା ଏବେ ମଧ୍ୟ ପ୍ରଚଳିତ ଥିବାର ସେ ଉଲ୍ଲେଖ କରିଥିଲେ ।

ସେହିଭଳି ସ୍ୱକୀୟ ସଭାପତିତ୍ୱରେ ଖୋର୍ଦ୍ଧା ଅତିରକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା କହିଲେ ଯେ ଯେଉଁଠାରୁ କୋମଳକାନ୍ତ ପଦାବଳୀର ମଧୁଝଙ୍କାର ଉଠି ସମଗ୍ର ଜଗତକୁ ସ୍ତବ୍ଧ ଓ ମୋହିତ କରିଥିଲା ସେ ହେଉଛି ଜନ୍ମସ୍ଥାନ କେନ୍ଦୁବିଲ୍ୱ । ଶ୍ରୀ ଜୟଦେବ ଓ ତାଙ୍କ ରଚିତ ଶ୍ରୀ ଗୀତଗୋବିନ୍ଦ ସଂପର୍କରେ ବହୁକଥା ବିଭିନ୍ନ ରାଜ୍ୟରେ ପ୍ରଚଳିତ ରହିଛି ଏବଂ ଏସବୁର ଅଲୌକିକତା ଆଜି ମଧ୍ୟ ଲିଭି ନାହିଁ । ଓଡିଆମାନଙ୍କ ବିଭିନ୍ନ ଶୁଭ କାର୍ଯ୍ୟରେ ଗୀତଗୋବିନ୍ଦର ବିଭିନ୍ନ ପରମ୍ପରା ଏବେ ମଧ୍ୟ ରହିଥିବା ସେ କହିଥିଲେ ।

ଅନ୍ୟପକ୍ଷରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ବାଲିଅନ୍ତା ବିଡିଓ ନାରାୟଣ ନାୟକ, ତହସିଲଦାର ସମୀର ଦାସ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା ଫାଉଣ୍ଡେସନ ଓଏସଡି ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର, ଜୟଦେବ ଗ୍ରାମ ପଞ୍ଚାୟତ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଭୋଇ, ସମିତିସଭ୍ୟ ଭାବଗ୍ରାହୀ ଗୋଚ୍ଛାୟତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୟଦେବଙ୍କ ଅନନ୍ୟ କୃତି ସଂପର୍କରେ ଆଲୋକପାତ କରିଥିଲେ । ଖୋର୍ଦ୍ଧା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ମଞ୍ଚ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.