om academy

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ

jsm

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଜିପଦରର ଶୁକ୍ରବାର ୫୦ ବର୍ଷ ପୂର୍ତ୍ତୀ ଅବସରରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସଭ୍ୟା, କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀବୃନ୍ଦ ବହୁତ ଉତ୍ସାହ ଓ ଉଦ୍ଦୀପନା ସହକାରେ ଉତ୍ସବଟିକୁ ପାଳନ କରିଥିଲେ । ସକାଳୁ ଗ୍ରାମର ଇଷ୍ଟଦେବୀ ଧରଣୀପୀଠରେ ପୂଜାର୍ଚ୍ଚନା କରି ମଶାଲ ଶୋଭାଯାତ୍ରା ସଂକୀର୍ତ୍ତନ ଦଳ ସହ ନଗର ପରିକ୍ରମା କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବଟିକୁ ମୁଖ୍ୟ ଅତିଥି, ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଉଦ୍‌ଘାଟନ କରିଥିଲେ । ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ଭବାନୀପାଟଣା ବିଧାୟକ ଅନାମ ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ଅବିନାଶ ଠାକୁର, ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁନନ୍ଦା ପଣ୍ଡା, ଗୁଡ଼ିଆଳିପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଇଞ୍ଜିନିଅର ପ୍ରିୟଙ୍କା ମହାଖୁଡ଼, ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ଜୟ କୁମାର ମାଝୀ ଓ ହୃଷିକେଶ ନାଏକ ଯୋଗଦାନ କରିଥିଲେ । ଉତ୍ସବର ଉଦ୍‌ଘାଟନୀ ପରେ ପ୍ରଧାନ ଶିକ୍ଷକ ତଥା ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ଅଧ୍ୟକ୍ଷ ଡ଼. ଜୟନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ସୁବର୍ଣ୍ଣ ଜୟନ୍ତୀ ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା କ୍ରୀଡା ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ହୁଳହୁଳି, ଶଙ୍ଖ ଫୁଙ୍କା, ସଂଗୀତ, ଝୋଟି ଓ କ୍ରିକେଟ ମ୍ୟାଚ୍‌ର ବିଜୟୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ବିଦ୍ୟାଳୟରେ ଶିକ୍ଷକ ଅଭାବ ହେତୁ ସ୍ୱେଚ୍ଛାସେବୀ ଭାବରେ ବିଦ୍ୟାଳୟରେ ପ୍ରତିଦିନ ଶିକ୍ଷ୍ୟାଦାନ କରୁଥିବା ପୁରାତନ ଛାତ୍ରୀ ଭାଗ୍ୟବତୀ ପାଣ୍ଡେ ଓ ପୁରାତନ ଛାତ୍ର ତମରେନ୍ଦ୍ର ମାଝୀ ତଥା ବିଦ୍ୟାଳୟକୁ ଜମିଦାନ କରିଥିବା ନାରାୟଣ ମାଝୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ହିମାଞ୍ଚଳ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।

ଅତିଥିମାନଙ୍କ ଅଭିଭାଷଣ ପରେ ପ୍ରବଳ ଦର୍ଶକଙ୍କ ଉପସ୍ଥିତିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ଵାଗତିକା ନେଗୀ ଓ ଶିକ୍ଷକ ପ୍ରଶାନ୍ତ ଖମାରୀ ଆକର୍ଷଣୀୟ ଢଙ୍ଗରେ ସଂଯୋଜନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମିନତୀ ସାହୁ, ନିକଟସ୍ଥ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଗୀତା ଶତପଥୀ, ସୁନନ୍ଦା ମିଶ୍ର, ଝରଣା ପ୍ରଧାନ, ସୁନିତା ଶତପଥୀ, ସରୋଜିନୀ ହୋତା, ସ୍ଵର୍ଣ୍ଣଲତା ମହାନ୍ତି, ହିନାମଞ୍ଜରୀ ପଟ୍ଟନାୟକ, ଶିକ୍ଷକ ପ୍ରତାପ ପଣ୍ଡା, ରବୀନ୍ଦ୍ର ମହାନ୍ତି, କାଳିପ୍ରସାଦ ରଥ, ନାଗେଶ୍ୱର ରାଓ ଦୋରା, ସିଆରସିସି ସୂର୍ଯ୍ୟ ନାରାୟଣ ମହାନ୍ତି, ପ୍ରଫୁଲ୍ଲ ଠାକୁର, ବିଶ୍ୱଜିତ ରାୟ, ପରିଚାଳନା କମିଟି ସଦସ୍ୟ ଓ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.