ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳିତ

• ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦିନେ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବ – ସୁବ୍ରତ ବାଗଚି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ସୋମବାର ଭବ୍ୟ ସାମାରୋହରେ ପାଳିତ ହୋଇଯାଇଛି । ଏହି ବିଶ୍ୱବିଦ୍ୟାଳୟର ଯେତେବେଳେ ଶହେବର୍ଷ ପାଳନ ହେବ, ସେତେବେଳେ ଏହି ବିଶ୍ୱବିଦ୍ୟାଳୟର ଡ଼ାଇମଣ୍ଡ ଜୁବୁଲି ପାଳନ ବେଳକୁ ଏହା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବ ବୋଲି ରାଜ୍ୟ ସରକାରଙ୍କ ପ୍ରମୁଖ ପରାମର୍ଶଦାତା ତଥା ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ, ବରେଣ୍ୟ ଶିକ୍ଷାବିତ ପଣ୍ଡିତ ସୁବ୍ରତ ବାଗଚି କହିଛନ୍ତି । ଯାହାକି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ଏହାର ବୈଷୟିକସ୍ତରରେ ଏହାର ଯଥେଷ୍ଟ ସୁନାମ ରହିଛି, ଏହି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି, ପ୍ରାକୃତିକ ସୌନ୍ଦର୍ଯ୍ୟ, ସବୁଜିମା ପରିବେଶ, ବତାନୁକୂଳ ସାଂଗକୁ ୨୫୦ଏକର ପରିମିତ ଜାଗାରେ ନିର୍ମିତ କ୍ୟାମ୍ପସ ଏବେ ବି ସର୍ବତ୍ର ଆଲୋଡିତ ସୃଷ୍ଟି କରିଛି । ଏହି ବିଶ୍ୱବିଦ୍ୟାଳୟରେ ସମସ୍ତ ବିଭାଗର ଶିକ୍ଷାନୁଷ୍ଠାନମାନଙ୍କରେ ଶୈକ୍ଷିକ ଓ ଭାବପ୍ରବଣତାର ବିକାଶ ଯଥେଷ୍ଟ ଉନ୍ନତି ସାଧିତ ହୋଇଛି । ଏଠାକାର ଛାତ୍ରଛାତ୍ରୀ ଓ ଶିକ୍ଷାୟତନ ପରିସର ବେଶ ଶୃଙ୍ଖଳିତ ଅଟେ । ଅଧ୍ୟାପକ ମହଲ, ପ୍ରଫେସର ଗଣଙ୍କ ବୈଷୟିକ ଜ୍ଞାନର ବାତାବରଣ ମଧ୍ୟରେ ଶିକ୍ଷାଦାନ ଖୁବ୍‌ ଉନ୍ନତ ଏବଂ ଚଳଚଞ୍ଚଳ ଅତି ସୁଗମ ହୋଇଛି । ଏହି ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନର ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଭବିଷ୍ୟରେ ଏଠାରେ ସ୍ଥାନ ପାଇବେ, କୁଳପତି, ଅଧ୍ୟାପକ, ପ୍ରାଧ୍ୟାପକ, ପ୍ରଫେସର, ରେଜିଷ୍ଟାର ଆଦି ଉଚ୍ଚ ପଦବୀରେ ପ୍ରାପ୍ତି ହୋଇପାରିବେ । ସେତେବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମାନ ବହୁଗୁଣରେ ଉନ୍ନତି ଓ ମାର୍ଜିତ ହୋଇ ବେଶ ସୁନାମ ଅର୍ଜନ କରିପାରିବ ବୋଲି ଶ୍ରୀ ବାଗଚି ଦୀର୍ଘ ସମ୍ଭାଷଣରେ ତାତ୍ତ୍ଵିକ ଆଲୋଚନା ଦେଇଛନ୍ତି । ମୁଁ ମୋର ପାଠପଢ଼ା ଜୀବନ ଛତ୍ରପୁରର ଅନସ୍ଲୋ ହାଇସ୍କୁଲରେ ସମାପ୍ତି ହୋଇଛି, ତେଣୁ ଗଞ୍ଜାମର ଶିକ୍ଷା ପରିବେଶ ମୋତେ ଖୁବ୍‌ ଭଲ ଲାଗେ ବୋଲି ଶ୍ରୀ ବାଗଚି ମତବ୍ୟକ୍ତ କରିଛନ୍ତି ।

ଭଞ୍ଜବିହାରସ୍ଥ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ଭବ୍ୟ ବର୍ଣ୍ଣାଢ୍ୟ ସାରସ୍ୱତ ସାମାରୋହରେ ସୋମବାର ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପ୍ରମୁଖ ପରାମର୍ଶଦାତା ସୁବ୍ରତ ବାଗଚି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ଭାଷଣ ପ୍ରଦାନ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିବାରକୁ ଉତ୍ସାହିତ କରି ଗୌରବର ଗାଥା ଶୁଣାଇଛନ୍ତି । ଆନୁଷ୍ଠାନିକ ଉଦ୍‌ଘାଟନୀ ସାମାରୋହରେ ପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ, ଅତିଥିମାନଙ୍କ ପରିଚୟ ପ୍ରଦାନ, ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ପରେ କୁଳପତି ପ୍ରଫେସର ଶ୍ରୀମତୀ ଗୀତାଞ୍ଜଳି ଦାଶ ବିଶ୍ୱବିଦ୍ୟାଳୟର କୃତି ଓ କୃତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଆମନ୍ତ୍ରିତ ବହୁ ଜ୍ଞାନୀଗୁଣିଙ୍କୁ ଆୟୋଜିତ ଭବ୍ୟ ମଞ୍ଚ ଉପରେ ତାଙ୍କରି ଆଦର୍ଶତାକୁ ପ୍ରତିପାଦନ କରି ମାନପତ୍ର, ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ସମ୍ମାନରେ ସମ୍ମାନିତ ପଦ୍ମଶ୍ରୀ ପ୍ରଫେସର ଜୟନ୍ତ ମହାପାତ୍ର, ଦକ୍ଷିଣ ଓଡ଼ିଶା ସାଂସ୍କୃତିକ ପ୍ରଚାରକ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି, ମେଜର ରାମରମଣ ପାଢ଼ୀ, ବିଚ୍ଛିନାଞ୍ଚଳର ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, (ପାରଳାଖେମୁଣ୍ଡି), ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ସାମାରୋହ-୨୦୨୩ ଅବସରରେ ସମ୍ମାନିତ କରାଯାଇଛି । ଶେଷରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଛି ।

Leave A Reply

Your email address will not be published.