centurian jitm

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର- ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ କାନ୍ତକବିଙ୍କ ଜୀବନୀ ଓ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ରାଜ୍ୟର ସଂଗୀତ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ଆଧୁନିକ ଓଡିଆ ସାହିତ୍ୟର ଜଣେ ବରେଣ୍ୟ ସାଧକ । ଓଡିଆ ସାହିତ୍ୟ ଜଗତକୁ ଯେଉଁ କେତେଜଣ କବି, ଭାବୁକ, ଔପନ୍ୟାସିକ, ପ୍ରାବନ୍ଧିକ ରୁଦ୍ଦିମନ୍ତ କରିଛନ୍ତି ସେମାନଙ୍କ ମଧ୍ୟରୁ କାନ୍ତକବି ଅନ୍ୟତମ । ସେ ଏକାଧାରରେ କବି, ସଂଗୀତଜ୍ଞ, ପ୍ରାବନ୍ଧିକ, କଥାକାର, ନାଟ୍ୟକାର, ଶିଶୁ ସାହିତ୍ୟିକ ଏବଂ ହାସ୍ୟରସର ସ୍ରଷ୍ଟା । ବୁଢା ଶଙ୍ଖାରୀ, କଣାମାମୁଁ, ଜୀବନ ସଂଗୀତ, ଜୀବଜନ୍ତୁ ଚିଡିଆଖାନା, କୁମାରୀ ଆଦି ଓଡିଆ ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିବା ସହ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଡଗର ପତ୍ରିକା ତତ୍କାଳୀନ ସମୟରେ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ସୁଶ୍ରିତା ସେନାପତି, ମଧୁସ୍ମିତା ରାଉତ, ମଧୁସ୍ମିତା ପଣ୍ଡା, ଚିନ୍ମୟୀ ବେହେରା, ବିଦୁସ୍ମିତା ରାଉଳ, ସନ୍ଦିପ୍ତା ନନ୍ଦ, ଶୁଭଶ୍ରୀ ନାୟକ, ରିତିକା ପାତ୍ର, ସାଇ ସଂଗୀତା ବେହେରା, ଆଲିଶା ନାୟକ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ବିଶ୍ୱଜିତ ସାହୁ, ଅର୍ପିତା ମହାନ୍ତି କାନ୍ତକବିଙ୍କ ଜୀବନୀ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତିତ୍ୱ ସହ ସୁଶ୍ରୀ ମୁଦୁଲି କାନ୍ତକବିଙ୍କ ଲେଖନୀ କିପରି ଆମ ଜନ ଜୀବନୀକୁ ପ୍ରଭାବିତ କରିଛି ସେ ସଂପର୍କରେ ବକ୍ତବ୍ୟ ରଖିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ବିମଳ ଚନ୍ଦ୍ର ମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁଜାତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.