ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କନ୍ଦିଗାଁ ଠାରେ ଅବସ୍ଥାପିତ ମା’ ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ଗତ ମଙ୍ଗଳବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ, ଖଲ୍ଲିକୋଟର ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ ପିଲାମାନଙ୍କ ଉଦ୍ଦେଶ୍ୟରେ ପିତାମାତା ମାନଙ୍କୁ ଏହି ଶିକ୍ଷାନୁଷ୍ଠାନର ଗୁଣାତ୍ମକ ମାନର ଶିକ୍ଷା ଉପରେ ଗୁରୁତ୍ୱାରୋପ କରି ଅନୁଷ୍ଠାନର ଉଦ୍ୟକ୍ତାଙ୍କୁ ଉତ୍ସାହିତ କରିଥିଲେ । ବିଶିଷ୍ଟ ଅତିଥି ରୂପେ ଡକ୍ଟର ଅବଦୁଲ କାଲାମ ଜନ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ଖଲ୍ଲିକୋଟର ପ୍ରତିଷ୍ଠାତା ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ କେଶପୁର ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ବିଷ୍ଣୁପ୍ରସାଦ ଦାଶ, ସମ୍ମାନୀତ ଅତିଥି ଭାବେ, ବିଦ୍ୟୁତ୍ ବିଭାଗର ଇଞ୍ଜିନିୟର ପ୍ରଭାତ କୁମାର ଷଡ଼ଙ୍ଗୀ ଏବଂ ପ୍ରାଚୀନ ସାହିତ୍ୟ ସଂସଦ ବ୍ରହ୍ମପୁର, ଗଞ୍ଜାମର ପ୍ରତିଷ୍ଠାତା ସଂପାଦକ ବଂଶୀଧର ସେଠୀ ଅବସରପ୍ରାପ୍ତ ଶିକ୍ଷାଧିକାରୀ ରଣା ମହାଭାଗ, ବିଦ୍ୟାଳୟର ସଂପାଦିକା ଶ୍ରୀମତୀ ଇନ୍ଦିରା ଆଚାର୍ଯ୍ୟ, ଶ୍ରୀମତୀ ଗୀତା ପରିଡା ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ମଞ୍ଚାସୀନ ହୋଇ ଶିଶୁମାନଙ୍କ ବୌଦ୍ଧିକ ବିକାଶ ନିମନ୍ତେ ଉପାଦେୟ ବାଣୀ ଉପସ୍ଥାପନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା (ଗୁରୁମା) ଶ୍ରୀମତୀ ପ୍ରତିଭା ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭାପତି ତ୍ରିନାଥ ପରିଡା ଓ ଉତ୍ତମ ପରିଡା ସାମଗ୍ରୀକ ପରିଚାଳନା ଦାୟିତ୍ୱ ନେଇଥିଲେ । ଗୁରୁମା ସସ୍ମିତା ମହାରଣା, ଦିପ୍ତିମୟୀ ସାହୁ, କମିଟି ମେମ୍ବର ନୃତ୍ୟଗୁରୁ ବୁଲୁ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିଶୁମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମ୍ମାନିତ ଅତିଥି ଭାବେ ବଂଶୀଧର ସେଠୀ, ଉପସ୍ଥିତ ଦର୍ଶକଙ୍କୁ ଦାସକାଠିଆ ଗୀତ, ଗପ ଓ ଢଗଡ଼ମାଳି ବିଷୟରେ ଶୁଣାଇ ସଭିଙ୍କ ଗହଣରେ ଖୁସି ବାଣ୍ଟିଥିଲେ । ବିଭିନ୍ନ ଶୈକ୍ଷିକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଶିଶୁମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା । ଗ୍ରାମବାସୀ ତଥା ଅଭିଭାବକମାନେ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ । ଆଗାମୀ ଦିନରେ ନିଜ ନିଜର ପିଲାଙ୍କୁ ଶିଶୁ ଏହି ମନ୍ଦିରରେ ପଢ଼ାଇବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ।