ବାରିପଦା ଠାରେ ଜିଲ୍ଲା ସ୍ତରୀୟ ଶହୀଦ ଦିବସ -୨୦୨୬ ପାଳିତ

  • ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ଶହୀଦମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଏବଂ “ଦୁଇ ମିନିଟ ନୀରବ ପ୍ରାର୍ଥନା”

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଶହୀଦ ଦିବସ -୨୦୨୬ ପାଳିତ ହୋଇଯାଇଛି । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ତଥା ଭାରତର ସ୍ୱାଧୀନତା ପାଇଁ ଯେଉଁ ମହାମନୀଷୀ ଗଣ ଦେଶମାତୃକା ପାଇଁ ତା’ଙ୍କ ପ୍ରାଣବଳି ଦେଇଥିଲେ । ସେମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରିପ୍ରେକ୍ଷୀରେ ପ୍ରତି ବର୍ଷ ଜାନୁଆରୀ ୩୦ ତାରିଖକୁ ଶହୀଦ ଦିବସ ଭାବେ ପାଳନ ହୋଇଥାଏ । ଏହି ଅବସରରେ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ନୀରବ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । ଦେଶ ପାଇଁ ପ୍ରାଣବଳି ଦେଇ ଶହୀଦ ହୋଇଥିବା ମହାମନୀଷୀ ବୀର ମହାପୁରୁଷମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ “ଦୁଇ ମିନିଟ ନୀରବ ପ୍ରାର୍ଥନା ” କରାଯାଇଥିଲା । ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ତହସିଲଦାର ସପନ କୁମାର ସାହୁ ପ୍ରମୁଖଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗର ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ନୀରବ ପ୍ରାର୍ଥନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପରିଚାଳନା କରିଥିଲେ ଏବଂ ଉକ୍ତ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହକାରୀ ଲଳିତ ରଞ୍ଜନ ନାଏକ ଓ କର୍ମଚାରୀ ଲିଜତ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.