
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସେମିନାର ହଲ ସୁବର୍ଣ୍ଣପୁରଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ-୨୦୨୫ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର ଡ଼ା. ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ଅଧୀକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ା. ଦୁର୍ଗାଦତ୍ତ ଦାସ ଓ ଅଧୀକ୍ଷକ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ସୋନପୁର ସ୍ମିତାଶ୍ରୀ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରକ୍ତଦାନ କରିବା, ନୂଆଆଶା ଭରିବା, ସମ୍ମିଳିତ ପ୍ରୟାସରେ ପ୍ରାଣ ରକ୍ଷା କରିବା ଉପରେ ବିଷଦ ଭାବରେ ଆଲୋଚନା କରି ଆମେ ସମସ୍ତେ ସନ୍ତୁଳିତ ଖାଦ୍ୟ, ଉତ୍ତମ ଜୀବନ ଶୈଳୀ, ନିଶାଯୁକ୍ତ ଖାଦ୍ୟରୁ ବିରତ ହୋଇ ଶାରୀରିକ ପରିଶ୍ରମ କରିବା, ଧୂମପାନରୁ ସମ୍ପୂର୍ଣ୍ଣ ମାତ୍ରାରେ ମୁକ୍ତ ରହିବା, ଯୋଗ ଓ ଧ୍ୟାନ ଅଭ୍ୟାସ କରିବା ଉପରେ ସମସ୍ତଙ୍କୁ ସଚେତନତା ବାତ୍ର୍ତ୍ତା ପ୍ରଦାନ କରିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ଓ ସୁସ୍ଥ ସୁନ୍ଦର ସମାଜ ଗଠନ ସମ୍ଭବ ହୋଇ ପାରିବା ଉପରେ ବୁଝାଇ ଥିଲେ । ଆଜିର ଦିବସ ଅବସରରେ ୧୫ଜଣ ବ୍ୟକ୍ତି ବିଶେଷ ରକ୍ତ ଦାନ କରିଛନ୍ତି । ଉକ୍ତ ସଭାରେ ବିଭିନ୍ନ ସାମାଜିକ ତଥା ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ କର୍ମକତ୍ର୍ତ୍ତା ବୃନ୍ଦ, ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀ, ନର୍ସିଂ ଅଫିସର, ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ଜଗତ ଦରୱାନ ସହଯୋଗ କରିଥିଲେ । ଉକ୍ତ ସଭାରେ ଜୀବନ ଯାକ ମଧ୍ୟରେ ୫୨ ଥର ରକ୍ତଦାନ କରି ନୂତନ ରକ୍ତଦାତାଙ୍କୁ ପ୍ରେରଣା ଯୋଗାଇଥିବା ପୋଲିସ ହାବିଲଦାର ମନୋଜ ପଣ୍ଡା, ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ବୁଢାରଜା ୟୁଥ ଆସୋସିଏସନ୍ର ଶିବ ଶଙ୍କର ନାଏକ, ବରିଷ୍ଠ ସାମ୍ବାଦିକ ତଥା ସ୍ୱଚ୍ଛଭାରତ ସଂଗଠନର କୋଡ଼ିନେଟର ମନୋରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ନୂତନ ରକ୍ତଦାତାଙ୍କୁ ନିଜ ନିଜ ବକ୍ତବ୍ୟରେ ମାଧ୍ୟମରେ ଉତ୍ସାହିତ କରିଥିଲେ । ଜିଲ୍ଲା ପୋଲିସ ଆସୋସିଏସନର ସଭାପତି ଦିନେଶ ମିଶ୍ର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।’