
- ରାଜ୍ୟର ସଫଳ ଗୋପାଳକ ମାନଙ୍କୁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ଵ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ ବୋଲି ଘୋଷଣା କରିବା ସହିତ ଓମଫେଡ ଚାଷୀ ମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ଓମଫେଡ୍ ବାଲ୍ଟି ଦହି, ଏ-୨ ମିଲ୍କ, ଏ-୨ ଘିଅର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ, କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ, ମଇଁଷି ଉଦ୍ୟୋଗ ବିକାଶ, ମାଈ ବାଛୁରୀ ପାଳନ, ଗୋମହିଷାଦିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ ପାଇଁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏଥିସହିତ, ସେ ୨୦୨୪-୨୫ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପ୍ରାୟ ୩ ଲକ୍ଷ ଗୋପାଳକଙ୍କୁ ୭୧ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ ଓ ରାଜ୍ୟର ୭୭ ଗୋଟି ପଞ୍ଜିକୃତ ଗୋଶାଳାରେ ଅସହାୟ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରାଣିକଲ୍ୟାଣ ସଂଗଠନମାନଙ୍କୁ ୧୦.୫ କୋଟି ଟଙ୍କାର ଆର୍ଥିକ ସହାୟତା ବଣ୍ଟନ କରିଥିଲେ । ସୂଚନାଯୋଗ୍ୟ, ପୋଷଣୀୟ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରାଣୀପାଳକଙ୍କ ଅବଦାନ, ସୁଷମ ଖାଦ୍ୟ ମଧ୍ୟରେ ଦୁଗ୍ଧର ଉପକାରିତା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ଲକ୍ଷ୍ୟରେ ୨୦୦୧ ମସିହା ଠାରୁ ପ୍ରତ୍ୟେକ ବର୍ଷ ଜୁନ ମାସ ୧ ତାରିଖରେ ବିଶ୍ଵ ଦୁଗ୍ଧ ଦିବସ ପାଳନ କରାଯାଉଛି । ଚଳିତ ବର୍ଷର ଥିମ ରହିଛି “ଲେଟସ୍ ସେଲିବ୍ରେଟ୍ ଦ ପାୱାର ଅଫ୍ ଡେରୀ ବା ଆସନ୍ତୁ, ଦୁଗ୍ଧ ଶକ୍ତି ପାଳନ କରିବା ।” ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ବହୁଗୁଣିତ କରିବା ସହ ଦୁଗ୍ଧ ଚାଷୀଙ୍କ ଜୀବନ ଜୀବିକାକୁ ସୁରକ୍ଷିତ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରତିବଦ୍ଧ ଅଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏବଂ ଦୁଗ୍ଧ ଉତ୍ପାଦନ ଆମ ଗ୍ରାମୀଣ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ । ଏହା କେବଳ ଏକ ଆୟର ଉତ୍ସ ନୁହେଁ, ବରଂ ଆମ ସମାଜରେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଆମ ରାଜ୍ୟରେ ୨୦୨୩-୨୪ ବର୍ଷରେ ୨୬.୪ ଲକ୍ଷ ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦିତ ହୋଇଥିବା ବେଳେ ଏହାକୁ ଆଗାମୀ ୫ ବର୍ଷରେ ଦ୍ୱିଗୁଣିତ କରିବା ପାଇଁ ଆମ ସରକାର ପ୍ରୟାସଶୀଳ । ସେଥିପାଇଁ ଆମର ଏହି ଲୋକଙ୍କ ସରକାର ରାଜ୍ୟରେ ଗୋପାଳନର ବିକାଶ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆରମ୍ଭ କରିଛନ୍ତି, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ । ସେ କହିଥିଲେ ଯେ, ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩ ଲକ୍ଷ ହିତାଧିକାରୀ ୭୧ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି । ଏହି କାମଧେନୁ ଯୋଜନା ଅଧିନରେ ଅନେକ ଯୋଜନା ଆଜି ଆମର ରାଜ୍ୟ ଚାଷୀଙ୍କୁ ସମୃଦ୍ଧ କରୁଛି । ପ୍ରାଣିକଲ୍ୟାଣ ପ୍ରତି ଆମ ସରକାର ସର୍ବଦା ସମ୍ବେଦନଶୀଳ । ସହାନୁଭୂତି, ସଂବେଦନଶୀଳତା ଓ ପର୍ଯ୍ୟାବରଣ ସୁରକ୍ଷା ପ୍ରତି ଥିବା ଉତ୍ତରଦାୟିତ୍ୱକୁ ଭଲଭାବରେ ବୁଝି ନୂତନ ଗୋଶାଳା ପ୍ରତିଷ୍ଠା ଓ ପଞ୍ଜୀକୃତ ଗୋଶାଳାକୁ ସହାୟତା ଲକ୍ଷ୍ୟରେ ଆମ ସରକାର ୧୮୬ କୋଟି ଟଙ୍କା ବ୍ୟୟ-ଅଟକଳରେ ‘ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ବୁଲା ଓ ଅସହାୟ ଗୋରୁଗାଈଙ୍କ ଖାଦ୍ୟ, ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ପଞ୍ଜୀକୃତ ଗୋଶାଳାଗୁଡିକୁ ଗୋରୁ ପିଛା ଦୁଇଟି କିସ୍ତିରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ଗତ ନଭେମ୍ବର ମାସରେ ୬୮ ଟି ଗୋଶାଳାକୁ ୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟୟରେ ୭୭ ଟି ଗୋଶାଳାକୁ ୧୦.୫ କୋଟି ଟଙ୍କାର ଅନୁଦାନ ଆଜି ଦିଆଯାଇଛି । ଏହି ଅର୍ଥ ରାଜ୍ୟର ପ୍ରାୟ ୨୨ ହଜାର ନିରାଶ୍ରୟ ଗୋରୁଗାଈଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଅତ୍ୟନ୍ତ ଆନନ୍ଦର ବିଷୟ, ରାଜ୍ୟର ଖାଉଟିଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଜି ଓମଫେଡ଼ ପକ୍ଷରୁ ତିନୋଟି ନୂଆ ଉତ୍ପାଦର ବଜାର ପ୍ରବେଶ କରାଯାଉଛି । ସେଗୁଡିକ ହେଲା-ବାଲ୍ଟି ଦହି, ଆମ ଓଡିଶାର ବିଞ୍ଝାରପୁରୀ ଗାଈ କ୍ଷୀରରୁ ପ୍ରସ୍ତୁତ ଦେଶୀ ଗାଈ ଘିଅ ଓ ସେହି ଗାଈ ପ୍ରଜାତିର ଏ୨ କ୍ଷୀର । ଆଜିଠାରୁ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ । ଖାଉଟିମାନଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ଲିଟର ପ୍ରତି ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ । ଏହାଦ୍ଵାରା ରାଜ୍ୟର ପ୍ରାୟ ୨.୫ ଲକ୍ଷ ଗୋପାଳକ ସିଧାସଳଖ ଲାଭବାନ ହୋଇପାରିବେ । ଆମେ ଚାହୁଁଛୁ ଯେ ଓଡ଼ିଶା ଏକ ଦୁଗ୍ଧ ଉତ୍ପାଦନ ରାଜ୍ୟ ଭାବରେ ଦେଶରେ ଏକ ମଡେଲ୍ ସ୍ଥାନ ନେଉ । ଆମେ ସମସ୍ତେ ମିଳିତ ଭାବେ ଦୁଗ୍ଧ ସମୃଦ୍ଧ ଓଡ଼ିଶା, ସୁସ୍ଥ ଓଡ଼ିଶା ନାରାକୁ ସାକାର କରିବା ଉଚିତ ବୋଲିମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଥିଲେ ଯେ, ଦୁଗ୍ଧ ଉତ୍ପାଦନ ଏବଂ ଦୁଗ୍ଧ ଜାତୀୟ ପଦାର୍ଥ ଉତ୍ପାଦନ ଯୋଗୁଁ ଆଜି ଓଡିଶାର ମାଆ, ଭଉଣୀ ମାନେ ଆତ୍ମନିର୍ଭରଶୀଳ । ଏହି ବିଭାଗ ସହିତ ଆମର ମିଶନ ଶକ୍ତି ମାଆ ଓ ଭଉଣୀ ମାନେ ସଂଶ୍ଳିଷ୍ଟ ରହି କେବଳ ଏତିକି ନୁହେଁ Organic Bio Compost ତିଆରି କରି ନିଜକୁ ଲକ୍ଷ ପତି ଦିଦି ଭାବେ ପରିଚିତ କରିଛନ୍ତି । ନିଜ ବକ୍ତବ୍ୟରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଯେ, ଗୋପାଳନ ଓ ଦୁଗ୍ଧ ଉତ୍ପାଦନ, ସମାଜରେ ପ୍ରତ୍ୟେକ ସ୍ତରରେ ରୋଜଗାର ବୃଦ୍ଧି କରିବାରେ ସହାୟକ ହେଉଛି । ଦେଶର ଆର୍ଥିକ ଅବିବୃଦ୍ଧି ଦେଶର ପ୍ରତ୍ୟେକ ଟି ଗାଁ ସ୍ୱାବଲମ୍ବୀ ହେଲେ ହିଁ ହୋଇ ପାରିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ କ୍ରାନ୍ତି ଆଣିଛି । ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା ସହ ଦୁଗ୍ଧ ଉତ୍ପାଦନରେ ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ ଅଛି ବୋଲି କହିଛନ୍ତି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାଣିକଲ୍ୟାଣ ସଂଗଠନର କର୍ମକର୍ତ୍ତା, ରାଜ୍ୟର ବିଭିନ୍ନ ଅଞ୍ଚଳର ଗୋପାଳକ ଓ ପ୍ରାଣିପାଳକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।