ବଲାଙ୍ଗିର, (କେପିଏନ୍ଏସ୍) : ନାଟକ ଆଜିର ସମୟର ଅପରିହାର୍ଯ୍ୟ ଆବଶ୍ୟକତା । ଜଗତ ଯେତେବେଳେ ପାରସ୍ପରିକ ହିଂସାର କବଳରେ, ସେତେବେଳେ ନାଟକ ମଣିଷକୁ ମଣିଷର ଭଲ ପାଇବାର ବାର୍ତ୍ତା ଦେଉଛି । ତେଣୁ ନାଟକ ଆମର ଜୀବନ ପାଇଁ ଜରୁରୀ । ଆଗକୁ ମଧ୍ୟ ଏହା ମଣିଷକୁ ଜୀବନବାଦୀ କରିବ ବୋଲି ବିଶ୍ୱ ନାଟ୍ୟ ଦିବସ ପାଳନ ଅବସରରେ ଏହି ମତ ଦେଇଛନ୍ତି । ନାଟକ ସହଜଡିତ ବହୁ ବ୍ୟକ୍ତିବିଶେଷ । ବଲାଙ୍ଗିରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଅନ୍ୱେଷଣ ତରଫରୁ ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ନିକଟରେ ମୁକ୍ତମଂଚରେ ବିଶ୍ୱ ନାଟ୍ୟ ଦିବସ ୨୦୨୪ ପାଳନ ଅବସରରେ ଏପରି ମତ ଦେଇଛନ୍ତି । ସନ୍ଦୀପ କୁମାର କୁଅଁରଙ୍କ ମଂଚ ସଂଯୋଜନା ଓ ପରିଚାଳନା କ୍ରମେ ବରିଷ୍ଠ ସଂଗଠକ ଓ କଳାକାର ପ୍ରଭାକର ମିଶ୍ର , ନାଟ୍ୟ ନିର୍ଦ୍ଦେଶକ ଅଶୋକ କୁମାର ମିଶ୍ର , ଯୁବ କଳାକାର ତଥା ଦୈନିକ ସମାଜର ସହ ସମ୍ପାଦକ ବିଭୁକଲ୍ୟାଣ ଗଡତିଆ ଅତିଥିଭାବରେ ଯୋଗ ଦେଇଥିବା ବେଳେ ଅନ୍ୱେଷଣର ସଂପାଦକ ପ୍ରକାଶ ଥନାପତି ବିଶ୍ୱ ନାଟ୍ୟ ଦିବସ ଅବସରରେ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ ଦ୍ଵାରା ପ୍ରସାରିତ ବିଶିଷ୍ଟ କବି, ନାଟ୍ୟକାର, ଔପନ୍ୟାସିକ, ପ୍ରାବନ୍ଧିକ ଓ ଅନୁବାଦକ ୟନ୍ ଫସେଙ୍କ କଳା ହେଉଛି ଶାନ୍ତି ଶୀର୍ଷକ ବାର୍ତ୍ତାର ଓଡିଆ ଅନୁବାଦକୁ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ଦୀପ, ନାଟ୍ୟ ନିର୍ଦ୍ଦେଶକ ହିମାଂଶୁ ଶେଖର ଖମାରୀ, ଅନୁପ୍ରିୟା ମିଶ୍ର, କଣ୍ଠଶିଳ୍ପୀ ନବୀନ କିଶୋର କୁଅଁର, ଲୋକ ସଂସ୍କୃତି ଗବେଷକ ନିଳାଞ୍ଚଳ ନନ୍ଦ, ଭରତ ନାଗ, ମଂଚ ଚଳଚ୍ଚିତ୍ର ଅଭିନେତା ବ୍ରହ୍ମାନନ୍ଦ ବନଛୋର, ଅନ୍ୱେଷଣର ସଭାପତି ହୃଷୀକେଶ ପୁରୋହିତ ସମେତ ବଲାଙ୍ଗିରର ବହୁ ନାଟ୍ୟ ପ୍ରେମୀ ମଂଚ ନାଟକ ସମ୍ପର୍କରେ ମତାମତ ଦେଇଥିଲେ । ଶେଷରେ ଆନ୍ୱଷଣ ତରଫରୁ ଅଶୋକ କୁମାର ଦୀପ୍ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ବିଶ୍ୱ ନାଟ୍ୟଦିବସ ସଚେତନତା ପାଇଁ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।
Prev Post
Next Post