
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ସ୍ଥିତ ଇସ୍ପାତ ଫିଟନେସ ପାଥଠାରେ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଫିଟନେସ ପାଥର ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହୋତ୍ସବରେ ଆରଏସପିର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଶ୍ୱରଂଜନ ପଲେଇ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଆରଏସପିର ସିଜିଏମ ଆତିଶ ସରକାର, ଆରଏସପି ଅଫିସର ସଂଘର ସଭାପତି ଅବକାଶ ବେହେରା, ସିଜିଏମ ଏତୁଆ ଓରାମ, ଚନ୍ଦ୍ରଶେଖର ଶତପଥୀ ପ୍ରମୁଖ ଉପସ୍ଥିତ ରହି ରଜ ମହୋତ୍ସବର ଆଭିମୁଖ୍ୟ, ସଂସ୍କୃତି, ପରମ୍ପରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ସୁମନ ଦତ୍ତ, ଜ୍ଞାନରଞ୍ଜନ ଦାସ, ଇଂ ଉତ୍ତମ କୁମାର ସାମଲ, ସନ୍ତୋଷ କୁମାର ମହାପାତ୍ର, କଳ୍ପନା ଶତପଥୀ, କୁଞ୍ଜବିହାରୀ ରାଉତ ପ୍ରମୁଖ ତାଙ୍କ ବକ୍ତବ୍ୟରେ ପରିବେଶ ସୁରକ୍ଷା, ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତା, ବୃକ୍ଷ ରୋପଣ ଓ ରଜ ପାଳନର ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରାୟ ଦେଢ଼ଶହ ବ୍ୟକ୍ତିଙ୍କ ମଧ୍ୟରେ ପୋଡ ପିଠା, ଛେନାପୋଡ଼, କାକରା, ସିଙ୍ଗଡ଼ା, ବରା, ଘି ପିଠା ବଣ୍ଟନ କରାଯାଇଥିଲା । ଶେଷରେ ଅନ୍ୟତମ ବରିଷ୍ଠ ସଦସ୍ୟ ଅଜିତ ପୁଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।