
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଜୁବୁଲି ମଣ୍ଡପଠାରେ ସାନ୍ତାଳ ଏମ୍ପଲୋଇଜ ଏସୋସିଏସନ ତରଫରୁ ଅଲଚିକି ଲିପି ସ୍ରଷ୍ଟା ‘ପରସି ସିଞ୍ଜଚାନ୍ଦ’ – ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୨୦ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ସାନ୍ତାଳ ପରମ୍ପରା ଅନୁସାରେ ନାୟକେ ବାବା ମଦନ ହେମ୍ବ୍ରମଙ୍କ ଦ୍ୱାରା ବିଧିବଦ୍ଧ ପୂଜାର୍ଚ୍ଚନା କରାଯିବା ପରେ ଏସୋସିଏସନର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଭାପତି ସିଦ୍ଧେଶ୍ୱର ମାର୍ଣ୍ଡି, ଉପ ସଭାପତି ସୁରାୟ ମୁର୍ମୁ, ସମ୍ପାଦକ ବାଢା ହେମ୍ବ୍ରମ, ସହ ସମ୍ପାଦକ ପଦ୍ମିନୀ ହାଁସଦା, କୋଷାଧ୍ୟକ୍ଷ ରାଜେନ୍ଦ୍ର ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ରହି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମଧନ ମାର୍ଣ୍ଡି, ସୁରେନ୍ଦ୍ର କିସ୍କୁ, ଭକ୍ତଚରଣ ସୋରେନ, ଶ୍ୟାମସୁନ୍ଦର ଟୁଡୁ, କନକଲତା ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ଅଲଚିକି ଲିପିର ବୈଜ୍ଞାନିକ ପୃଷ୍ଠଭୂମି, ମିଶନ ଅଲଚିକି ଓ ସଂଗଠନର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଭାରତୀ ଟୁଡୁ ମଞ୍ଚ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ସୁନୀଲ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ । ସରସ୍ୱତୀ ହେମ୍ବ୍ରମ, ଚମ୍ପାବତୀ ହାଁସଦା, କିରଣବାଳା ମାଝୀ, ଦୁର୍ଗାଚରଣ ମାଝୀ ଓ ଲସ ମାଝୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ଅନୁଷ୍କା ମାର୍ଣ୍ଡି, ଲକ୍ଷ୍ମୀ ହେମ୍ବ୍ରମ ଓ ଛୋଟରାୟ ମୁର୍ମୁଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।