ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ ହୋଇଯାଇଛି । ବିଶ୍ୱରେ ଦାର୍ଶନିକ ଓ ସମୀକ୍ଷାତ୍ମକ ଚିନ୍ତନକୁ ସକଳ ବିଦ୍ୟାର ଆଧାର ରୂପେ ଗୃହୀତ କରାଯାଇଛି । ତେଣୁ ପ୍ରତିବର୍ଷ ଯୁନେସ୍କୋ ପକ୍ଷରୁ ନଭେମ୍ବର ମାସର ତୃତୀୟ ଗୁରୁବାରକୁ ବିଶ୍ୱ ଦର୍ଶନ ଦିବସ ଭାବେ ପାଳନ କରାଯାଇଥାଏ । ୨୦୦୨ ମସିହାରୁ ଏହି ଦିବସକୁ ସାରା ବିଶ୍ୱରେ ପାଳନ କରାଯାଇ ମଣିଷ ଜୀବନରେ ଦର୍ଶନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ପ୍ରସାର ଓ ପ୍ରଚାର କରାଯାଇଆସୁଛି । ଏହି କ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସସ୍ମିତା ସାମଲଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି । ବିଭିନ୍ନ ପାଠ୍ୟକ୍ରମ ମଧ୍ୟରେ ଦର୍ଶନ ଶାସ୍ତ୍ରର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ଡ. ସାମଲ ସୂଚନା ଦେଇଥିଲେ । ଏହି ଅବସରରେ ପ୍ରାକ୍ତନ ଦର୍ଶନ ବିଭାଗର ପ୍ରାଧ୍ୟାପକ ଏଞ୍ଜେଲୁସ୍ ଡୁଙ୍ଗ୍ଡୁଙ୍ଗ୍ ମାନବ ଜୀବନରେ ଦର୍ଶନର ସ୍ଥାନ ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପ୍ରତି ବିଶ୍ୱର ବିଭିନ୍ନ ଘଟଣାରେ କିଭଳି ମାନବିକତା ଓ ମାନବୀୟ ମୂଲ୍ୟବୋଧର ସଙ୍କଟ ଦେଖାଦେଇଛି ଓ ସଚେତନ ମନୁଷ୍ୟ ମାନଙ୍କର ଏହା ପ୍ରତି ରହିଥିବା ଦାୟିତ୍ୱବୋଧ ସମ୍ପର୍କରେ ଶ୍ରୀ ଡୁଙ୍ଗ୍ଡୁଙ୍ଗ୍ କହିଲେ । ଏହା ସହିତ ପୁରାତନ ଦର୍ଶନ, ଗ୍ରୀକ୍ ଦର୍ଶନ, ପାଶ୍ଚାତ୍ୟ ଦର୍ଶନ ଓ ପ୍ରାଚ୍ୟ ଦର୍ଶନ ସମ୍ପର୍କରେ ସେ ଏକ ତୁଳନାତ୍ମକ ଆଲୋଚନା କରିଥିଲେ । ଦର୍ଶନ ବିଭାଗ ସହକାରୀ ପ୍ରାଧ୍ୟାପିକା ଡ. ପଙ୍କଜିନୀ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରି ଏହି ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ତକ୍ରଶାସ୍ତ୍ରର ଅଧ୍ୟାପକ ମାଝିଙ୍କ ସହିତ ବିଭାଗୀୟ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ବିଭାଗୀୟ ଛାତ୍ରୀ ମାନସୀ ବେରା ସମସ୍ତଙ୍କ ଧନ୍ୟବାଦ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହିତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
Prev Post