ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପର୍ଯ୍ୟଟନ ଶାଖା ତରଫରୁ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ଦିବସ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ଯୋଜନା ଓ ସମନ୍ୱୟ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗ ଦ୍ୱାରା ଜିଲ୍ଲାର ପର୍ଯ୍ୟଟନ ଉପରେ ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତରୀୟ ବୁଦ୍ଧି ପରିମାପକ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ପର୍ଯ୍ୟଟନ ଶାଖା ଅଧିକାରୀ ରମେଶ ଗୋଛିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା ସହ ପୁରସ୍କାର ବିତରଣ ସଭା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କୌଣସି ଜିଲ୍ଲାର ପର୍ଯ୍ୟଟନ ସେହି ଜିଲ୍ଲାର ସାମାଜିକ, ଅର୍ଥନୈତିକ ଜୀବନରେ ରହିଥିବା ଗୁରୁତ୍ୱ, ଉପାଦେୟତା ତଥା ଆବଶ୍ୟକତା ଉପରେ ଆଲୋକପାତ କରି ଜିଲ୍ଲାର ବିକାଶରେ ପର୍ଯ୍ୟଟନର ଭୂମିକା ଗୁରୁତ୍ୱପୂର୍ଣ ରହିଥାଏ ବୋଲି କହିଥିଲେ । ପରେ ପରେ ଅନୁଷ୍ଠିତ ବୁଦ୍ଧି ପରିମାପକ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ମହାବିଦ୍ୟାଳୟ (ବରିଷ୍ଠ ) ବିଭାଗରେ ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଜନ୍ମେଜୟ କର୍ଣ୍ଣ ପ୍ରଥମ ଓ ବିନାୟକ ମେହେର ଦ୍ଵିତୀୟ, ହୋଇଥିବା ବେଳେ ସୋନପୁର ମହାବିଦ୍ୟାଳୟର ପଦ୍ମନାଭ ରଣା ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି କନିଷ୍ଠ ବିଭାଗରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସୋନପୁରର କାଦମ୍ବିନୀ ପୂଜାରୀ ପ୍ରଥମ, ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ ଦ୍ଵିତୀୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସୋନପୁରର ଅନ୍ୟାଷା ଦୀକ୍ଷିତ ତୃତୀୟ ହୋଇ ପୁରସ୍କୃତ ହୋଇଥିଲେ । ବିଚାରକ ଭାବେ ଅମ୍ବୁଜ ବିହାରୀ ଶତପଥି ଓ ବୁଦ୍ଧଦେବ ସା ଯୋଗଦାନ କରିଥିବାବେଳେ ଦିବସର କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ସହାୟକ ସହଦେଵ ମେହେର ଓ କନିଷ୍ଠ ସହାୟକ ଆକାଶ ପାଣ୍ଡେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.